ଅଭିନେତା ମହେଶଙ୍କୁ ୫.୪ କୋଟିର ଚୁନ ଲଗାଇ ଓକିଲ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ମହେଶ କୁମାର ଠକାମୀର ଶିକାର ହୋଇଛନ୍ତି। ଜଣେ ଓକିଲ ତାଙ୍କୁ ବିଭିନ୍ନ ଆଳ ଦେଖାଇ ୫.୪ କୋଟି ଟଙ୍କା ଠକି ନେଇଛନ୍ତି। ଗୋଟିଏ ଜମି ବିବାଦ ମାମଲାରୁ ସୁରକ୍ଷା ପାଇବା ପାଇଁ ମହେଶ ହରିଆଣାର ଜଣେ ଓକିଲଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦେଇଥିଲେ। ହେଲେ ସେ ସବୁ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି।
ଏନେଇ ଅଭିନେତା ମହେଶ ଠାକୁର ଓଶିୱାରା ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ୩୪ ବର୍ଷୀୟ ଓକିଲ ମୟଙ୍କ ଗୋଏଲଙ୍କ ନାଁରେ ଏଫଆଇଆର କରିଛି। ଗୋଟିଏ ଜମି ବିବାଦରେ ଫସିଥିବା ମହେଶ ଠାକୁରଙ୍କୁ ଓକିଲ ମୟଙ୍କ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିଥିବା କହିଥିଲେ। ଏଥିପାଇଁ ସେ ମହେଶ ଠାକୁରଙ୍କ ଠାରୁ ଟଙ୍କା ନେଇଥିଲେ।
ତାଙ୍କ ବିଶ୍ୱାସ ଜିତିବା ପାଇଁ ମୟଙ୍କ ଅନଲାଇନ ଭିଡିଓ କନଫରେନ୍ସିଂ ଜରିଆରେ ନକଲି କୋର୍ଟ ଶୁଣାଣିର ଅଡିଓ ଓ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାକୁ ଦେଖାଇ ସେ କ୍ରମାଗତ ଭାବେ ମହେଶଙ୍କ ଠାରୁ ଟଙ୍କା ନେଇ ଚାଲିଥିଲେ। ଏହି ଠକେଇ ୨୦୨୧ ଅଗଷ୍ଟରୁ ଆରମ୍ଭ ହୋଇଥିଲା। ହାଇକୋର୍ଟ, ସୁପ୍ରିମକୋର୍ଟ ଓ ସରକାରୀ ବିଭାଗରୁ ଜମି ବିବାଦ ଘଟଣାରେ ମହେଶଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ମୟଙ୍କ ତାଙ୍କ ନିକଟବର୍ତ୍ତୀ ହୋଇଥିଲେ।
ଏହି ଆଳରେ ସେ ୨୦୨୧ ଅଗଷ୍ଟରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ମୋଟ ୫.୪ କୋଟି ଟଙ୍କା ମହେଶଙ୍କଠାରୁ ନେଇଛନ୍ତି। ମହେଶ ତାଙ୍କୁ ଏବେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ସୁଇଚ ଅଫ ହୋଇଯାଇଛି। ତାଙ୍କୁ ବିଭିନ୍ନ ସ୍ଥାନରେ ମହେଶଙ୍କ ଲୋକମାନେ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନି। ଶେଷରେ ନ୍ୟାୟ ପାଇବା ପାଇଁ ମହେଶ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।
ମହେଶ ଠକାମୀର ଶିକାର ହୋଇଥିବା ସ୍ୱୀକାର କରିଛନ୍ତି। ହେଲେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହାନ୍ତି। ସେ କହିଛନ୍ତି, ଘଟଣାଟି ବହୁତ ବଡ଼। ବର୍ତ୍ତମାନ ତଦନ୍ତ ପ୍ରାମଥମିକ ପର୍ଯ୍ୟାୟରେ ରହିଛି। ଗିରଫଦାରୀ ପରେ ବିରାଟ ଦୁର୍ନୀତି ରାକେଟର ପର୍ଦ୍ଦାଫାସ ହେବ।
ମହେଶ ଓକିଲ ମୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସବୁ ପଠାଇଛନ୍ତି। ପୁଲିସ୍‌ ଏବେ ଫେରାର ଓକିଲଙ୍କୁ ଧରିବାକୁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି। ୪୦୬ ଓ ୪୨୦ ଦଫାରେ ମାମଲାର ମଧ୍ୟ ରୁଜୁ କରାଯାଇଛି। ମହେଶ ଠାକୁର ଏକାଧିକ ବଲିଉଡ ଫିଲ୍ମ, ଟିଭି ସିରିଏଲ ଓ ୱେବ ସିରିଜ୍‌ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।

nis-ad
Leave A Reply

Your email address will not be published.