ସୁନ୍ଦରଗଡ଼ : ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍ ସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ବୃହତ୍ ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ କରାଯାଇଥାଏ। ଏହି କୋଇଲା ପରିବହନ ଦ୍ଵାରା ସୁନ୍ଦରଗଡ଼ର ଅନେକ ବ୍ୟକ୍ତି ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ, ସୁନ୍ଦରଗଡ଼ ଟ୍ରକ୍ ମାଲିକ ସଂଘ ଓ ବିସ୍ଥାପିତ ଟ୍ରକ୍ ମାଲିକ ସଂଘ ଏକତ୍ରିତ ହୋଇ ସମସ୍ତ ଟ୍ରକ୍ ମାଲିକମାନଙ୍କ ସ୍ଵାର୍ଥସାଧନ ପାଇଁ ସମନ୍ୱିତ କୋଇଲା ଟ୍ରକ୍ ମାଲିକ ସଂଘ ଗଠିତ ହୋଇଥିଲା। କୋଇଲା ପରିବହନ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ଏହି ସଂଘ ଦ୍ଵାରା ନେବାର ସ୍ଥିରୀକୃତ ହୋଇଥିଲା। ମାତ୍ର କୋଇଲା ପରିବହନ ଭଡ଼ା ବୃଦ୍ଧି ବାବଦରେ ସମନ୍ୱିତ ଭାବରେ ଦୁଇଟି ବୈଠକ ହେବା ପରେ ମଧ୍ୟ କିଛି ସ୍ଥିର ହୋଇପାରି ନଥିଲା। ଏହି ସମୟରେ ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ଏହି ସ୍ଥିର ଅବସ୍ଥାକୁ ଭାଙ୍ଗିବାକୁ ଉଦ୍ୟମ କରି ଥିଲା । ଏହି ସମୟରେ ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ଅସହମତି ସତ୍ତ୍ୱେ ସୁନ୍ଦରଗଡ଼ ଟ୍ରକ୍ ମାଲିକ ସଂଘ ଓ ବିସ୍ଥାପିତ ଗାଡ଼ି ମାଲିକ ସଂଘ ଚକ ବନ୍ଦର ନିଷ୍ପତ୍ତି ନେଇ କୋଇଲା ପରିବହନକୁ ବନ୍ଦ୍ କରିଦେଇଥିଲେ। ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ନୈତିକ ଭାବରେ ଭଡା ବୃଦ୍ଧିକୁ ସମର୍ଥନ କରିଥିଲେ ଅଧ୍ୟ ଚକ ବନ୍ଦରୁ ନିଜକୁ ଦୂରେଇ ରଖିଥିଲା। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ଓ ଶିଳ୍ପ ପ୍ରତିଷ୍ଠାନମାନଙ୍କ ସହିତ ଆଲୋଚନା ଜାରି ରହିଥିଲା। ଏହି ଆନ୍ଦୋଳନ ଦ୍ଵାରା ସୁନ୍ଦରଗଡ଼ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡିବା ଆରମ୍ଭ ହୋଇଥିଲା। ପରିଶେଷରେ ସମସ୍ତଙ୍କ ମିଳିତ ଉଦ୍ଦ୍ୟମରେ ଆଜି ଏହି ପ୍ରତୀକ୍ଷାର ଅନ୍ତ ଘଟି ସୁନ୍ଦରଗଡରୁ ଝାରସୁଗୁଡ଼ା ଓ ସମ୍ବଲପୁର ପାର୍ଶ୍ଵରେ ଥିବା ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ କୋଇଲା ପରିବହନ ଭଡା ଟନ୍ ପିଛା ୬୦ ଟଙ୍କା ବୃଦ୍ଧି କରାଯିବାର ନିଷ୍ପତ୍ତି ମିଳିତ ଭାବରେ ଗ୍ରହଣ କରାଯାଇଥିବାର ଘୋଷଣା ଆଜି ମଞ୍ଚ ଉପରୁ ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ଅଧ୍ୟକ୍ଷ ସଞ୍ଜୟ ନନ୍ଦ କରିଥିଲେ। ତତ୍ ସହିତ ସଂଘ କିପରି ଭାବରେ ଆଗକୁ ସଦସ୍ୟମାନଙ୍କୁ ଅନ୍ୟାନ୍ୟ ସୁବିଧା ଦେଇ ପାରିବ ସେହି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏହି ସଭାରେ ଅଧ୍ୟକ୍ଷ ସଞ୍ଜୟ ନନ୍ଦଙ୍କ ସହିତ ସଂଘର ବରିଷ୍ଠ ସଦସ୍ୟ ମନରଞ୍ଜନ ବହିଦାର, ହାଜି ଅବଦୁଲ ସଇଦ, ଦିଲୀପ ଷଡ଼ଙ୍ଗୀ ଏବଂ ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ମଞ୍ଚାସୀନ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼
Sign in
Sign in
Recover your password.
A password will be e-mailed to you.