ମହିଳା ସଂରକ୍ଷଣକୁ ନେଇ ପାୱାରଙ୍କ ‘ଉତ୍ତର ଭାରତ ମାନସିକତା’ ବୟାନ

ପୁଣେ: ଚର୍ଚ୍ଚାରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବୟାନ। ମହିଳା ସଂରକ୍ଷଣ ବିଲ୍‌କୁ ନେଇ ସେ ଦେଇଥିବା ଉତ୍ତର ଭାରତ ମାନସିକତା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ଭାରତ ଓ ସଂସଦର ମାନସିକତା ଏଯାଏ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ସଂରକ୍ଷିତ ବ୍ୟବସ୍ଥା ଲାଗୁ କରିବା ସପକ୍ଷରେ ସ୍ଥିର ନାହିଁ ବୋଲି ସେ କହିଛନ୍ତି।
ପୁଣେ ଡାକ୍ତର ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶରଦ ପାୱାର ଓ ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ମହିଳା ସଂରକ୍ଷ ବିଲ୍‌ ଉପରେ ପଚରାଯାଇଥିବା ପ୍ରଶ୍ନରେ ଶ୍ରୀ ପାୱାର ଏପରି ବୟାନ ଦେଇଛନ୍ତି।
ମହିଳା ସଂରକ୍ଷଣ ବିଲ୍‌ରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, ଲୋକସଭା ଓ ରାଜ୍ୟର ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ। କିନ୍ତୁ ଏହି ବିଲ୍‌ ଏଯାଏ ପାସ ହୋଇନାହିଁ। ତେଣୁ ମହିଳାଙ୍କ ନେତୃତ୍ୱକୁ ଏଯାଏ ଦେଶ ଗ୍ରହଣ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ନାହିଁ ବୋଲି ପାୱାରଙ୍କୁ ପ୍ରଶ୍ନ କରାଯାଇଥିଲା।
ଏହାର ଜବାବରେ ପାୱାର କହିଛନ୍ତି, “ସଂସଦର ମାନସିକତା, ବିଶେଷ କରି ଉତ୍ତର ଭାରତ ଏଯାଏ ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିପାରି ନାହିଁ। ମୁଁ କଂଗ୍ରେସର ଲୋକସଭା ସାଂସଦ ଥିବା ବେଳେ ମହିଳାଙ୍କ ସଂରକ୍ଷଣ ସମ୍ପର୍କରେ ଅନେକ ଥର ମତ ରଖିଛି। ଗୋଟିଏ ଥର ମୁଁ ସଂସଦରେ ମହିଳା ସଂରକ୍ଷଣ ସମ୍ପର୍କରେ ବୟାନ ଶେଷ କରିବା ପରେ ପଛକୁ ଚାହିଁଥିଲି। ହେଲେ ମୋ ଦଳର ଅଧିକାଂଶ ସାଂସଦ ମୋ ଭାଷଣ ଶୁଣି ଆସନରେ ଛିଡ଼ା ହୋଇ ଯାଇଥିଲେ ଓ ଗୃହରୁ ଚାଲି ଯାଇଥିଲେ। ଏହାର ଅର୍ଥ ମୋ ପାର୍ଟିର ଲୋକମାନେ ମଧ୍ୟ ଏହି ପ୍ରସଙ୍ଗକୁ ଆଦୌ ହଜମ କରିପାରୁ ନାହାନ୍ତି।”
ଏନସିପି ମୁଖ୍ୟ ପାୱାର ସବୁ ଦଳର ନେତାମାନଙ୍କୁ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବାରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, “ଯେତେବେଳେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତିରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲି। ପ୍ରାଥମିକ ଅବସ୍ଥାରେ ଏହାକୁ ଲୋକମାନେ ବିରୋଧ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଗ୍ରହଣୀୟ ହୋଇଥିଲା।”

nis-ad
Leave A Reply

Your email address will not be published.