‘୧୦୩୪ କୋଟି ବେଆଇନ ଅର୍ଥରୁ ୩.୨ କୋଟି ଟଙ୍କାରେ ମଉଜ କରିଛନ୍ତି ସଞ୍ଜୟ ରାଉତ’

ମୁମ୍ବାଇ: ପାତ୍ରା ଚାୱଲ ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଜାମିନ ଆବେଦନକୁ ବିରୋଧ କରିଛି ଇଡି। ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ପରଦା ପଛରେ ରହି ସବୁ କିଛି କରିଥିଲେ। ଦୁର୍ନୀତି ବଳରେ ମିଳିଥିବା ୧୦୩୪ କୋଟି ଟଙ୍କା ମଧ୍ୟରୁ ସଞ୍ଜୟ ରାଉତ ୩.୨ କୋଟି ଟଙ୍କା ଖର୍ଚ୍ଚ କରି ମଉଜ କରିଥିବା ଇଡି କୋର୍ଟଙ୍କୁ ଅବଗତ କରାଇଛି।
ସଞ୍ଜୟ ରାଉତ ମୁମ୍ବାଇରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଜାମିନ ଆବେନ କରିଥିଲେ। ଏହାକୁ ବିରୋଧ କରି ଇଡି ନିଜର ପକ୍ଷ ଦାଖଲ କରିଛି। ତଦନ୍ତକାରୀ ସଂସ୍ଥା ଇଡି ଶୁକ୍ରବାର ଦାଖଲ କରିଥିବା ଜବାବରେ କହିଛି ଯେ ସଞ୍ଜୟ ରାଉତ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଓ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।
ସେପ୍ଟେମ୍ବର ୧୫ରେ ସଞ୍ଜୟ ରାଉତଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ୨୦୨୨ ମସିହା ଏପ୍ରିଲ ୧ରେ ସଞ୍ଜୟ ରାଉତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ପ୍ରଥମ ଚାର୍ଜଶିଟ ଦାଖଲ କରିଥିଲା। ସଞ୍ଜୟ ରାଉତଙ୍କ ପ୍ରକ୍ସି ଓ ବିଶ୍ୱସ୍ତ ପ୍ରବୀଣ ରାଉତଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସପ୍ଲିମେଣ୍ଟାରୀ ଚାର୍ଚଶିଟ୍‌ରେ ରହିଛି।
ଟ୍ରାଏଲରୁ ଦୂରେଇ ରହିବା ପାଇଁ ସଞ୍ଜୟ ରାଉତ ପରଦା ପଛରେ ରହିଥିଲେ ଓ ପ୍ରବୀଣ ରାଉତ ସାମ୍ନାରେ ରହି ଅପରେଟ କରୁଥିଲେ। ସଞ୍ଜୟ ରାଉତ ସଂପୂର୍ଣ୍ଣ ଭାବେ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ରହିଛନ୍ତି। ତେଣୁ ତାଙ୍କୁ ପିଏମଏଲ ଆକ୍ଟ ୨୦୦୨ ଅନୁଯାୟୀ ଦଣ୍ଡବିଧାନ କରାଯିବା ଦରକାର। ଗୁରୁ ଆଶିଷ କଷ୍ଟ୍ରକସନ ପ୍ରାଇଭେଟ ଲିଃ ଦ୍ୱାରା ୬୭୨ ଜଣ ଭଡ଼ାଟିଆଙ୍କ ପାଇଁ ପାତ୍ରା ଚାୱଲର ପୁନଃ ନବୀକରଣ ହେବାର ଥିଲା। ମହାରାଷ୍ଟ୍ର ହାଉସିଂ ଓ ଏରିଆ ଡେଭଲମେଣ୍ଟ ଅଥୋରିଟି(ଏମଏଚ୍‌ଏଡିଏ) ସହିତ ଏପରି କାମ କରାଯିବା ଥିଲା।
କିନ୍ତୁ ନିର୍ମାଣ ପୂର୍ବରୁ ଗୁରୁ ଆଶିଷ କଷ୍ଟ୍ରକସନ ପ୍ରାଇଭେଟ ଲିଃ ଏଫଏସ୍‌ଆଇକୁ ତୃତୀୟ ପକ୍ଷ ଡେଭଲପର୍ସକୁ ୧୦୩୪ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲା। ଏହି ୧୦୩୪ କୋଟି ଟଙ୍କା ହେଉଛି ପ୍ରୋସିଡ୍ସ ଅଫ କ୍ରାଇମ(ପିଓସି)। ଏହାକୁ ବେଆଇନ ବିକ୍ରିରୁ ସଂଗ୍ରହ କରାଯାଇଥିଲା। ଏହି ୧୦୩୪ କୋଟି ପିଓସିରୁ ପ୍ରବୀଣ ରାଉତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୧୨ କୋଟି ଟଙ୍କା ହାଉସିଂ ଡେଭଲପମେଣ୍ଟ ଓ ଇନଫ୍ରାଷ୍ଟ୍ରକଚର(ଏଚଡିଆଇଏଲ) ଦ୍ୱାରା ଯାଇଥିଲା।
ଇଡି ଆହୁରି କହିଛି ଯେ ବର୍ତ୍ତମାନ ଯାଏ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ବେଆଇନ ଭାବେ ସଂଗ୍ରହ ହୋଇଥିବା ୧୦୩୪ କୋଟି ମଧ୍ୟରୁ ସଞ୍ଜୟ ରାଉତ ୩,୨୭,୮୫,୪୬୫ ଟଙ୍କା ନିଜର ସମ୍ପତ୍ତି ବଢ଼ାଇବାରେ ଖର୍ଚ୍ଚ କରିଛନ୍ତି। ଏଥିସହ ସେ ବିଭିନ୍ନ ମଉଜ ଟ୍ରିପ ଓ ଅନ୍ୟାନ୍ୟ ବାବଦରେ ମଧ୍ୟ ଏହି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ସେପ୍ଟେମ୍ବର ୧୫ରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ ଉଲ୍ଲେଖ କରାଯାଇଥିବା ଇଡି କହିଛି।
ଚଳିତ ବର୍ଷ ଏପ୍ରିଲ ମାସରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ ସହ ଜଡ଼ିତ ୧୧.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହା ମଧ୍ୟରେ ତାଙ୍କ ପତ୍ନୀ ବର୍ଷାଙ୍କ ନାଁରେ ଥିବା ଦାଦର ସ୍ଥିତ ଫ୍ଲାଟ ଓ ଆଲିବାଗରେ ଥିବା ୮ଟି ଜମି ରହିଥିଲା। ପାତ୍ରା ଚାୱଲ ଦୁର୍ନୀତି ଘଟଣାରେ ଜୁନ ୨୮ରେ ଇଡି ସଞ୍ଜୟ ରାଉତଙ୍କୁ ଜେରା କରିବାକୁ ସମନ କରିଥିଲା। ଏହାପରେ ତାଙ୍କୁ ଅଗଷ୍ଟ ୧ରେ ଗିରଫ କରାଯାଇଥିଲା। ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଏହି ଅବଧି ସେପ୍ଟେମ୍ବର ୧୯ରେ ଶେଷ ହେବ।

nis-ad
Leave A Reply

Your email address will not be published.