ପ୍ରଧାନଶିକ୍ଷକଙ୍କ ବଦଳି ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସର ପାଲଟିଲା ରଣକ୍ଷେତ୍ର

ସୋର: ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ରୋକିବା ଦାବି ନେଇ ତୁମୁଳକାଣ୍ଡ। ରଣକ୍ଷେତ୍ର ପାଲଟିଲା ବ୍ଲକ ଅଫିସ୍। ଦାବି ନେଇ ଆସିଥିବା ବିଜେପି ସମର୍ଥିତ ସରପଞ୍ଚ ଓ ଅଭିଭାବକଙ୍କ ସହ ବ୍ଲକ ଅଫିସ୍ ପରିସରରେ ବିଜେଡି କର୍ମୀଙ୍କ ସଂଘର୍ଷ ହୋଇଛି। ଏହି ସଂଘର୍ଷ ବେଳେ ସମସ୍ୟାର ସମାଧାନ କରିବାକୁ ଆସିଥିବା ବିଇଓ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ସୋର ବ୍ଲକ ଅଫିସ୍‌ରେ ଏହି ଘଟଣା ଘଟିଛି। ସୋର ବ୍ଲକ ଅଫିସ୍‌ରେ ଜନ ଅଭିଯୋଗ ଜନଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ଦୁଇଗୋଷ୍ଠୀ ହାତାହାତି ହୋଇଥିଲେ।

ଏହି ଘଟଣାରେ ଶିକ୍ଷକଙ୍କ ବଦଳି ଦାବି ରୋକିବାକୁ ନିବେଦନ ନେଇ ଆସିଥିବା ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଓ ସୋଇ ବିଇଓ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଫାଟିଛି। ସ୍ଥାନୀୟ ସୋର ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି।

ସୂଚନା ମୁତାବକ, ଟେଣ୍ଟେଇ ଭୀକାରିଚରଣ ନୋଡାଲ ସ୍କୁଲରେ ପ୍ରଧାନଶିକ୍ଷକ ଥିବା ବିଜୟ ସାର୍‌ଙ୍କ ବଦଳି କରାଯାଇଛି। ଯାହାକୁ ବିରୋଧ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ସ୍କୁଲରେ ପାଠପଢ଼ୁଥିବା ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଏନେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଖବର ପାଇବା ପରେ ପହଞ୍ଚି ଅଭିଭାବକଙ୍କ ସହ ବ୍ଲକ ଅଫିସ୍‌କୁ ଯାଇଥିଲେ। ତେବେ ସେମାନେ ପହଞ୍ଚିବା ବେଳକୁ ଜିଲ୍ଲାପାଳ ଜନଶୁଣାଣିରୁ ବାହାରି ଯାଇଥିଲେ। ତେଣୁ ପ୍ରଧାନଶିକ୍ଷକଙ୍କ ବଦଳି ଦାବି ବାତିଲ ନେଇ ବିଇଓଙ୍କ ନିକଟେ ସେମାନେ ଦାବିପତ୍ର ଦେଇଥିଲେ। ଏହି ସମୟରେ ବଦଳିକୁ ସମର୍ଥନ କରୁଥିବା ବିଜେଡି ଗୋଷ୍ଠୀ ଜନଶୁଣାଣିରେ ପହଞ୍ଚି ଥିଲେ। ଯାହା ପରେ ଦୁଇ ଗୋଷ୍ଠୀ ଭିତରେ ଯୁକ୍ତିତର୍କ ହାତାହାତିର ରୂପ ନେଇଥିଲା।

nis-ad
Leave A Reply

Your email address will not be published.