ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ନୂଆଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ। ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।

ସେ କହିଛନ୍ତି, ମୁମ୍ବାଇରେ ବଡ଼ ବଡ଼ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ୱାନ୍ ଟୁ ୱାନ୍ ଆଲୋଚନା କାର୍ଯ୍ୟକ୍ରମ ରହିଛି। ମୁମ୍ବାଇ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ ସୁଯୋଗ ରହିଛି ତାହା ଉପରେ ରାଜ୍ୟ ସରକାର ଉପସ୍ଥାପିତ କରିବେ। ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁମ୍ବାଇ ପରେ ବେଙ୍ଗାଳୁରୁରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ହେବାର କାର୍ଯ୍ୟକ୍ରମ ରହିଛି।

ଏଥିଲାଗି ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍ ହୋଟେଲରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ।
ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆମ ଦେଶର ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ବିଦେଶର ବହୁ ନାମୀଦାମୀ ସଂସ୍ଥା ଯୋଗଦେବେ। ଏଥିରେ ବିଭିନ୍ନ ସଂସ୍ଥା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ଓୟୁ ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ଏହି କନକ୍ଲେଭରେ ଯେପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍ ମାଧ୍ୟମରେ ପୁଞ୍ଜିପତିଙ୍କୁ ଭେଟୁଛନ୍ତି।
ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୫ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ କିଛି ବରିଷ୍ଠ ପଦାଧିକାରୀ ଆଗୁଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି।

nis-ad
Leave A Reply

Your email address will not be published.