ଭୁବନେଶ୍ୱର: ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ । କୋଳରେ ପିଲାକୁ ଧରି ଭୁବନେଶ୍ୱର ଡିସିପିଙ୍କୁ ଫେରାଦ ହେଲେ ଶ୍ୱେତା ମହାପାତ୍ର । ତାଙ୍କ ସ୍ୱାମୀ ବିରାଟ ମହାପାତ୍ର ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ୨୦୧୬ ମସିହାରେ ମନ୍ଦିରରେ ବିରାଟ ଓ ଶ୍ୱେତାଙ୍କର ବିବାହ ହୋଇଥିଲା । ୨୦୧୬ରେ ଉଭୟଙ୍କ ଏକ କନ୍ୟା ସନ୍ତାନ ହୋଇଥିଲା ।
୨୦୧୭ରେ ପୁଣି ଶ୍ୱେତା ଗର୍ଭବତୀ ହୋଇଥିଲେ । ବିରାଟ ଗର୍ଭ ନଷ୍ଟ କରିବା ସହ ଶ୍ୱେତାଙ୍କୁ ମାଡ ମାରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ବିରାଟ ଘର ଛାଡି ପଳାଇଥିଲେ । ୨୦୧୮ରେ ବିରାଟ ତାଙ୍କ ପତ୍ନୀ ଓ ଝିଅ ସହ ପୁରୀରେ ରହୁଥିବା ବେଳେ ଶ୍ୱେତା ସେଠାରେ ପହଞ୍ଚିବା ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପୁରୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ ହେବା ପରେ ବିରାଟଙ୍କୁ ଗିରଫ କରାଯାଇଥିଲା । ସେହିପରି ବିରାଟଙ୍କ ପତ୍ନୀ ଶ୍ୱେତାଙ୍କ ନାଁରେ ଚୋରି ଅଭିଯୋଗ ଆଣିଥିଲେ । ଏହା ପରେ ପୋଲିସ ଶ୍ୱେତାଙ୍କୁ ଗିରଫ କରି ଜେଲ ପଠାଇଥିଲା ।
ଜେଲରୁ ବାହାରିବା ପରେ ଶ୍ୱେତା କୋଲକାତା ପଳାଇଥିଲେ । ବିରାଟ ଜେଲରୁ ବାହାରିବା ପରେ ଶ୍ୱେତାଙ୍କ ପାଖକୁ ଯାଇ ଭୁବନେଶ୍ୱର ଫେରାଇ ଆଣିଥିଲେ । ଗତ ମାର୍ଚ୍ଚରେ ବିରାଟଙ୍କ ତୃତୀୟ ପତ୍ନୀ ଓ ଝିଅ ବେଙ୍ଗାଲୁରରେ ରହୁଥିବା ଖବର ପାଇବା ପରେ ପୁଣି ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେତେବେଳେ ଶ୍ୱେତା ୪ ମାସର ଗର୍ଭବତୀ ଥିଲେ । ଗତ ମାର୍ଚ୍ଚ ୨୪ ତାରିଖରେ ବିରାଟ ତାଙ୍କର କିଛି ସହଯୋଗୀଙ୍କ ସହ ଶ୍ୱେତାଙ୍କୁ ମାଡ ମାରିବା ସହ ହତ୍ୟା ଉଦ୍ୟମ କରିଥିଲେ । ଏନେଇ ଶ୍ୱେତା ଥାନାରେ ଅଭିଯୋଗ କରିଛନ୍ତି ।