ଭୁବନେଶ୍ୱର: ନିଶା ହେଲା କାଳ । ନିଶା ଖାଇବାକୁ ମା’ ବାରଣ କରିବାରୁ ମା’ଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଦେଲେ ଜଣେ ଯୁବ ଇଞ୍ଜିନିୟର । ମୃତ ଯୁବକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ରହୁଥିବା ସନତ କୁମାର ପ୍ରଧାନଙ୍କ ପୁଅ ଇଞ୍ଜିନିୟର ଅଶୋକ କୁମାର ପ୍ରଧାନ(୩୩) । ଏୟାରଫିଲ୍ଡ ଥାନା ପୁଲିସ ଅଶୋକଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ସୂଚନା ଅନୁଯାୟୀ, ଅଶୋକ ଜଣେ ଡିପ୍ଲୋମା ଇଞ୍ଜିନିୟର । ସେ ରାଜ୍ୟ ବାହାରେ ଏକ ପ୍ରତିଷ୍ଠିତ କଂପାନୀରେ ଚାକିରି କରିଥିଲେ । ଚାକିରି ସମୟରୁ ହିଁ ସେ ନିଶା ଖାଉଥିଲେ । ନିଶା ସେବନ ସୀମା ଟପିବାରୁ କଂପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ । ପରିବାର ଲୋକେ ତାଙ୍କୁ ସେଠାରୁ ନେଇ ଆସି ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ନିଶା ନିବାରଣ କେନ୍ଦ୍ରରୁ ବାହାରିବା ପରେ ସେ ପୁଣି ନିଶା ଖାଉଥିଲେ ।
ପରିବାର ଲୋକେ ତାଙ୍କୁ ୮ ଥର ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ଅଭ୍ୟାସରେ କୌଣସି ପରିବର୍ତ୍ତନ ହୋଇନଥିଲା । ମାସକ ତଳେ ସେ ନିଶା ନିବାରଣ କେନ୍ଦ୍ରରୁ ଘରକୁ ଆସିଥିଲେ । ପରିବାର ଲୋକେ ଯେତେ କହିଲେ ମଧ୍ୟ ସେ ବାହାରକୁ ଯାଇ ନିଶା ଖାଉଥିଲେ । ଆଜି ସକାଳେ ଅଶୋକ ପୁଣି ନିଶା ଖାଇ ଘରକୁ ଫେରିଥିଲେ । ଏହାକୁ ନେଇ ତାଙ୍କ ତାଗିଦ କରିଥିଲେ । ଦିନ ସାଢ଼େ ୧୦ଟାବେଳେ ସେ ଦାଣ୍ଡ ଘର ଫ୍ୟାନ୍ରେ ମା’ଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଝୁଲି ପଡ଼ିଥିଲେ ।