ସିଆପିଏଫଙ୍କ ଦ୍ୱାରା ୧୬୪ କି ଗ୍ରା ଗଞ୍ଜେଇ ସହ ଟ୍ରାକ୍ଟର ଜବତ…

ଅଭିଯୁକ୍ତ ଫେରାର…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କଟାପଙ୍ଗା ଗାଁ ନିକଟରେ ସିଆପିଏଫ୍ ବାହିନୀ ଦ୍ୱାରା ୧୬୪ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଏକ ଟ୍ରାକ୍ଟରରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ସମୟରେ କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍ ବାହିନୀକୁ ଦେଖି ଡ୍ରାଇଭର ଜଣକ ଗାଡ଼ି ଛାଡି ପଳାଇଥିଲା । ଟ୍ରାକ୍ଟର ଯାଞ୍ଚି କରି ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ଫଳରେ ସିଆରପିଏଫ୍ ବାହିନୀ ଗଞ୍ଜେଇ ସହ ଗାଡିକୁ ଜବତ କରି ନିଜ କ୍ୟାମ୍ପକୁ ନେଇ ଫିରିଙ୍ଗିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ସିଆରପିଏଫ୍ କ୍ୟାମ୍ପରେ ପହଞ୍ଚି ଗାଡି ଓ ଜବତ ଗଞ୍ଜେଇ ଫିରିଙ୍ଗିଆ ଥାନାକୁ ନେଇଥିଲେ । ଗାଡିର ମାଲିକ କଟାପଙ୍ଗା ଗ୍ରାମର ଚନ୍ଦ୍ରମଣି ରଣା ବୋଲି ଜଣାପଡିଛି । ତେବେ ଘଟଣାରେ କାହାକୁ ଗିରଫ କରାଯାଇ ନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । କେବଳ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ସୂଚନା ଯୋଗ୍ୟ ଯେ, ଫିରିଙ୍ଗିଆ ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ଓ ଚାଲାଣ ହେଉଛି । ଏନେଇ ପୋଲିସ ମଧ୍ୟ ଭଲ ଭାବେ ଅବଗତ ଅଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ବଡ଼ ଗଞ୍ଜେଇ ମାଫିଆକୁ ପୋଲିସ ଗିରଫ କରିବାରେ ସଫଳ ହୋଇନାହିଁ ।

nis-ad
Leave A Reply

Your email address will not be published.