ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ହକି ମହାସଂଘ ଓ ହକି ଇଣ୍ଡିଆ ସଦସ୍ୟ : ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ କଲେ ପ୍ରଶଂସା

ରାଉରକେଲାରେ ନିର୍ମାଣାଧୀନ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ଅଗ୍ରଗତି ସହ ଆନୁସଙ୍ଗିକ ଭିତିଭୂମି ପରଖିଛି ଆନ୍ତର୍ଜାତୀୟ ହକି ମହାସଂଘ ଓ ହକି ଇଣ୍ଡିଆର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏକ ସ୍ୱତନ୍ତ୍ର ବିମାନରେ ରାଉରକେଲା ପହଞ୍ଚିବା ପରେ ପ୍ରତିନିଧି ଦଳ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ବୁଲି ଦେଖିଥିଲେ ।

ଏଥିସହ ଆସନ୍ତା ହକି ବିଶ୍ୱକପ୍ ପ୍ରସ୍ତୁତି ତଥା ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହାସହ ଷ୍ଟାଡିୟମ କମ୍ପ୍ଲେକ୍ସ ପରିସରରେ ନିର୍ମିତ ହକି ଅଭ୍ୟାସ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ଏହି କେନ୍ଦ୍ରରେ ଏଫ୍‌ଆଇଚ୍‌ ମାନ୍ୟତା ଟର୍ଫ‌୍ ବିଶିଷ୍ଟ ଅଭ୍ୟାସ ପଡ଼ିଆ, ୨ ଶହ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା, ଫ୍ଲଡ୍‌ ଲାଇଟ୍‌, ଚେଞ୍ଜିଂ ରୁମ୍‌, ରିକଭରି ଏରିଆ, ଫିଟ୍‌ନେସ କେନ୍ଦ୍ର ସମେତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ବ୍ୟବସ୍ଥା ଉପଲବ୍ଧ ।

ଏହି ଅବସରରେ ହକି ଷ୍ଟାଡିୟମ ନିର୍ମାଣର ଅଗ୍ରଗତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଉଭୟ ଏଫଆଇଏଚ ଓ ହକି ଇଣ୍ଡିଆର ବରିଷ୍ଠ ପଦାଧିକାରୀ । କହିଲେ, ନିର୍ମାଣାଧୀନ ହକି ଷ୍ଟାଡିୟମର ଅଗ୍ରଗତି ବେଶ୍‌ ସନ୍ତୋଷଜନକ ଓ ଉତ୍ସାହବର୍ଦ୍ଧକ ମଧ୍ୟ । ଏହା କେବଳ ଭାରତର ନୁହେଁ, ବରଂ ବିଶ୍ବର ସର୍ବବୃହତ୍‌ ହକି ଷ୍ଟାଡିୟମ । ଯେଭଳି ଢ଼ଙ୍ଗରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ କରାଯାଉଛି, ସେଥିପାଇଁ ଓଡିଶା ସରକାର ଓ ହକି ଇଣ୍ଡିଆକୁ ଅଭିନନ୍ଦନ । ରାଉରକେଲା ଓ ଭୁବନେଶ୍ୱରରେ ଏକ ଉତ୍କୃଷ୍ଟ ବିଶ୍ୱକପ୍ ଆୟୋଜନ ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ସମ୍ମିଳିତ ପ୍ରୟାସ ଯୋଗୁଁ ଆଗାମୀ ବିଶ୍ବକପ୍‌ ପୁନର୍ବାର ହକି ଜଗତ ଉପରେ ପ୍ରଭାବ ପକାଇବ । ସଫଳ ଆୟୋଜକ ହେବାକୁ ଓଡ଼ିଶାର ଉତ୍ସାହ ଆମ ଭିତରେ ଏଭଳି ଆତ୍ମବିଶ୍ୱାସ ଜନ୍ମାଇଛି ।

ଏହି ପ୍ରତିନିଧି ଦଳରେ ଅନ୍ତର୍ଜାତୀୟ ହକି ମହାସଂଘର କାର୍ଯ୍ୟକାରୀ ସଭାପତି ସୈଫ ଅହମଦ, ସିଇଓ ଥିଏରୀ ୱିଲ, ହକି ଇଣ୍ଡିଆ ପ୍ରଶାସନିକ କମିଟି ସଦସ୍ୟ ଡ. ଏସ.ୱାଇ କ୍ୟୁରେସୀ, ଜାଫର ଇକୱାଲ, ଇଡ୍‌କୋ ଅଧ୍ୟକ୍ଷ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ପ୍ରମୁଖ ସାମିଲ ଥିଲେ ।

nis-ad
Leave A Reply

Your email address will not be published.