କଟକ,୦୭/୦୮: ଦଶହରା ଭସାଣିରେ ସାମିଲ ହେବାକୁ ଥିବା ମେଢ଼ ଗୁଡ଼ିକରେ ଜିପିଏସ୍ ଟ୍ରାକର୍ ଲାଗିବ । ଏହାଦ୍ୱାର ମେଢ଼ର ସ୍ଥିତି ପୁଲିସ ଜାଣିପାରି ତାହାକୁ ଠିକ୍ ଢଙ୍ଗରେ ନିୟନ୍ତ୍ରଣ କରିପାରିବ । ପୂଜା କମିଟିଗୁଡ଼ିକୁ ନେଇ ମଙ୍ଗଳବାର ପୁଲିସ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ଏଭଳି କିଛି ପ୍ରସ୍ତାବ ଦିଆଯାଇଛି । ପୂଜା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରାଯିବ । ଭସାଣି ଦିନ ପୁଲିସ ଏକାଧିକ ସ୍ଥାନରେ ଡ୍ରୋନ୍ ଉଡ଼ାଇ ଭିଡ଼ ଉପରେ ନଜର ରଖିବ ।
ସହିଦ ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ସଭାପତିତ୍ୱ କରିଥିଲେ । କଟକିଆଙ୍କୁ କିଛି ବୁଝାଇବାକୁ ପଡ଼ିବ ନାହିଁ । ସେମାନେ ପୂର୍ବରୁ ସବୁ ଜାଣିଛନ୍ତି । ପୂଜାଠାରୁ ଭସାଣି ଯାହାବି ହୁଏ ତାହା କଟକିଆଙ୍କ ସହଯୋଗରେ । କଟକିଆ ଯଦି ଗୋଟିଏ ହାତ ହୁଅନ୍ତି ତାହାଲେ ପୁଲିସ ଦ୍ୱିତୀୟ ହାତ । ତେଣୁ ଉଭୟଙ୍କ ସହଯୋଗରେ ଏ ବର୍ଷ ପୂଜା ଧୂମ୍ଧାମ୍ରେ ଓ ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ବୈଠକରେ ହୋଇଥିବା ଏକାଧିକ ନିଷ୍ପତ୍ତି ଅନୁସାରେ, ରାତି ୧୨ଟା ପର୍ଯ୍ୟପ୍ତ ମେଲୋଡ଼ି କରିବା ଓ ଭସାଣିରେ ମଧ୍ୟ ରାତି ୧୨ ଯାଏ ମାଇକ୍ ବଜାଇବାକୁ ପୁଲିସ ଅନୁମତି ଦେବ । ପୂଜା, ଭସାଣି ଓ ତୋରଣ ପାଇଁ ଆବଶ୍ୟକ ଅନୁମତି ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ଥାନାରୁ ମିଳିବ ।
ସବୁ କମଟିର ସଭାପତି ଓ ସମ୍ପାଦକଙ୍କୁ ଗାଡ଼ି ପାସ୍ ମିଳିବ । ଭସାଣିରେ ରାତି ୮ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରୁ ୩ ମେଢ଼ ଓ ଗଳିରୁ ୧ ମେଢ଼ ଆସିବ। ରାତି ୮ଟା ପରେ ଏହା ୨-୧ ହୋଇଯିବ । ଦିନ ୨ଟାରୁ ୩ଟା ଦିନ ଖାଦ୍ୟ ଓ ରାତି ୯ ଟାରୁ ୧୦ଟା ପର୍ଯ୍ୟନ୍ତ ରାତି ଖାଦ୍ୟ ପାଇଁ ମେଢ଼ ଅଟକିବ । ତେବେ ପୂଜା ସମୟରେ କେହି ଯଦି ମଦ ବିକନ୍ତି, ଗଣ୍ଡଗୋଳ ବା ବଦମାସି କରନ୍ତି କିମ୍ବା ବଟି ମାଗନ୍ତି ତାହାଲେ ସହରବାସୀ ପୁଲିସକୁ ଜଣାଇପାରିବେ । ଏନେଇ ପୁଲିସ ପକ୍ଷରୁ ଦୁଇଟି ଫୋନ୍ ଓ ହ୍ୱାଟ୍ସଆପ୍ ନମ୍ବର ଜାରି କରାଯିବ ।
ଭସାଣିରେ ଗୋଟିଏ ମେଢ଼ର ଶୋଭାଯାତ୍ରା ଲମ୍ବ ୨ ଶହ ମିଟିର ରହିବ । ଏହାବାଦ୍ ରାସ୍ତାଘାଟ ମରାମତି, ମଙ୍ଗଳବାଗ ଓ ମାଲ୍ଗୋଦାମରେ ମୋବାଇଲ୍ ଟଏଲେଟ୍ ରଖିବା, ଏହି ଦୁଇ ସ୍ଥାନରେ ପିଇବା ପାଣି ରଖିବା, ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା, ରାସ୍ତାରେ ମନଇଚ୍ଛା କେବୁଲ ବାନ୍ଧିଥିବା ସଂସ୍ଥାକୁ ତାଗିଦ୍ କରି ତାହାକୁ ଉଠାଇବା ବ୍ୟବସ୍ଥା କରିବା, ଟ୍ରାଫିକ୍ ବ୍ୟବସ୍ଥା ଶୃଙ୍ଖଳିତ କରିବା, ସକାଳେ ଓ ସନ୍ଧ୍ୟାରେ ଭାରୀ ଯାନ ଉପରେ କଟକଣା ରଖିବା ନେଇ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ମେଢ଼ ଗୁଡିକରେ ଜିପିଏସ୍ ବ୍ୟବସ୍ଥା ଲଗାଇବାକୁ ମହାନଗର ଶାନ୍ତି କମିଟି ସହ ସମ୍ପାଦକ ଦୀପାୟନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ ପୁଲିସ ପ୍ରଶାସନ ପ୍ରଶଂସା କରିଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଇଂ.ମହମ୍ମଦ ମୋକିମ୍, ବିଧାୟକ ସୌଭିକ ବିଶ୍ୱାଳ, ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତି ମାଝୀ, ଡିସିପି ପିନାକ ମିଶ୍ର, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ସିପିଆଇ ନେତା ଅମରେନ୍ଦୁ ମହାନ୍ତି, ବିଜେପି ନେତା ନୟନ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।