ଦିଲ୍ଲୀ ଉପରାଜ୍ୟପାଳଙ୍କ ଲିଗାଲ ନୋଟିସ୍‌ଙ୍କୁ ଚିରିଦେଲେ ‘ଆପ’ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ ୭।୯: ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ପଠା ଯାଇଥିବା ମାନହାନୀ ନୋଟିସ୍‌କୁ ଚିରି ଦେଇଛନ୍ତି ଏବଂ ଓଲଟି ଉପରାଜ୍ୟପାଳଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଛନ୍ତି। ସିଂହ କହିଛନ୍ତି ଯେ ଉପରାଜ୍ୟପାଳ ତାଙ୍କ ପଦବୀର ଦୂରୁପଯୋଗ କରି ଅଢେଇ ଲକ୍ଷ ଲୋକଙ୍କ ପଇସା ଗିଳି ଯାଇଛନ୍ତି।

ଏଣୁ ତାଙ୍କୁ ଉପରାଜ୍ୟପାଳ ପଦରୁ ହଟାଇବା ପାଇଁ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଧାନସଭା ଅଧିବେଶନ କାଳରେ ଆପ୍ ବିଧାୟକ ଦୁର୍ଗେଶ ପାଠକଙ୍କ ସମେତ ଦଳର ଅନ୍ୟ ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ବିରୋଧରେ ଭ୍ରଷ୍ଟାଚାରର ଗୁରୁତର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଉପରାଜ୍ୟପାଳ ଆପ ନେତାମାନଙ୍କୁ ଲିଗାଲ ନୋଟିସ୍ ପଠାଇ ଥିବା ବେଳେ ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନୋଟିସ ଚିରିବା ସହ ଏପରି ନୋଟିସରେ ସେ ଡରି ଯିବାର ଲୋକ ନୁହନ୍ତି ବୋଲି କହିଛନ୍ତି।

ସଞ୍ଜୟ ସିଂହ କହିଛନ୍ତି ଯେ ସେ ରାଜ୍ୟସଭା ସାଂସଦ ଓ ଦେଶର ସର୍ବୋଚ୍ଚ ସଦନର ସଦସ୍ୟ ହୋଇଥିବାରୁ ସତ କହିବା ତାଙ୍କ ଅଧିକାର। ଏହା ଛଡା ଭାରତୀୟ ସମ୍ବିଧାନ ମଧ୍ୟ ତାଙ୍କୁ ସତ୍ୟ କହିବାର ଅଧିକାର ଦେଇଥିବା ସେ କହିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଆସନରେ ବସିଥିବା ବ୍ୟକ୍ତି ଭ୍ରଷ୍ଟ ବୋଲି ସଞ୍ଜୟ ସିଂହ ଦୃଢତାର ସହ କହିଛନ୍ତି। ଏଣୁ ତାଙ୍କ ନୋଟିସ୍‌ରେ ସେ ସତ କହିବା ଛାଡିପାରିବେନି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଉପରାଜ୍ୟପାଳ ଭାବେ ବିନୟ ସକ୍ସେନା ଦାୟିତ୍ୱ ନେବା ପରଠାରୁ ଦିଲ୍ଲୀ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଗତ ଦିନରେ ରାଜ୍ୟ ସରକାରଙ୍କ ନୂଆ ଆବକାରୀ ନୀତିକୁ ନେଇ ମଧ୍ୟ ଏହିପରି ହଙ୍ଗାମା ହୋଇଥିଲା, ଯାହା ଏବେବି ଜାରି ରହିଛି। ସକ୍ସେନା ଖଦି ଓ ଗ୍ରାମଦ୍ୟୋଗ ମୁଖ୍ୟ ଥିବା ବେଳେ ସେ ଶ୍ରମିକଙ୍କ ପୈଠ ହେରଫେର କରିଥିଲେ ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ସହ ସଞ୍ଜୟ ସିଂହ ଗଣମାଧ୍ୟମ ସମ୍ମୁଖରେ କିଛି ଡକ୍ୟୁମେଣ୍ଟ ଉପସ୍ଥାପନ କରି ଏବେ ସତ୍ୟ ସମସ୍ତଙ୍କ ସମ୍ମୁଖକୁ ଆସି ଯାଇଥିବା କହିଛନ୍ତି। ଏହି ବ୍ୟକ୍ତି ଖଦି ଓ ଗ୍ରାମଦ୍ୟୋଗ ମୁଖ୍ୟ ଅବସ୍ଥାପିତ ଥିବା କାଳରେ ଅଢେଇ ଲକ୍ଷ ଲୋକଙ୍କଙ୍କ ପଇସା ଖାଇଯାଇଛି ବୋଲି କହିଛନ୍ତି । ଯାହାର ସେ ତଦନ୍ତ ଦାବି କରିଛନ୍ତି। ଏହା ଛଡା ଏପରି ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଚୟନ କଲେ କିପରି ବୋଲି ପ୍ରଶ୍ନ କରିଛନ୍ତି।

nis-ad
Leave A Reply

Your email address will not be published.