ବେଙ୍ଗାଲୁର ଜଳବନ୍ଦୀ : ଟ୍ରାକ୍ଟର କ୍ରେନରେ ଅଫିସ ଯାଉଛନ୍ତି ଆଇଟି କର୍ମଚାରୀ

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ସିଲିକନ୍‌ ସିଟି। ଲଗାତର ତୃତୀୟ ଦିନରେ ମଧ୍ୟ ଆଇଟି ସିଟି ବେଙ୍ଗଲୁରୁ ଜଳବନ୍ଦୀ ହୋଇ ରହିଛି। ପ୍ରବଳ ବର୍ଷା ପରେ ପାଣିରେ ଉଟୁବୁଟୁ ପୂରା ସହର। କେତେକ ଅଞ୍ଚଳରେ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇ ପଡ଼ିଛି। ପରିସ୍ଥିତି ଏପରି ଯେ, ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି। ସେହିପରି ଆଉ କେଉଁଠି ର୍କମଚାରୀମାନେ କ୍ରେନ୍‌ରେ ବସି ଅଫିସ ଯାଇଛନ୍ତି।
ଅଳ୍ପ ସମୟ ମଧ୍ୟରେ ପ୍ରବଳ ବର୍ଷା ଏବଂ ବିନା ଯୋଜନାରେ ଏପଟେ ସେପଟେ ଘର ତିଆରି ଯୋଗୁଁ ବେଙ୍ଗଲୁରୁରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ୫ ଶହରୁ ଅଧିକ ଡ୍ରେନ୍‌କୁ ଜବରଦଖଲ କରାଯାଇ ତା’ ଉପରେ ବେଆଇନ ନିର୍ମାଣ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି।
ଲଗାଣ ବର୍ଷା ଯୋଗୁଁ ମରାଠାହଲ୍ଲି, କାଦୁବିସ୍ନାହଲ୍ଲି, ଓ ଥାନିସାନ୍ଦ୍ରାର ଏକାଧିକ ଟେକ୍ ଓ ବିଜନେସ୍ ପାର୍କରେ ପାଣି ଭରି ରହିଛି। ଫଳରେ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ ପାଇଁ କିଛି ଆଇଟି କମ୍ପାନୀ ଅନୁମତି ଦେଇଛନ୍ତି। ଟ୍ରାକ୍ଟର ଗୁଡିକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି, ବେଙ୍ଗଲୁରୁରୁ ଜଳ ନିଷ୍କାସନ ପାଇଁ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତା’ସହିତ ଜବର ଦଖଲ ଉଚ୍ଛେଦ ପାଇଁ ଖର୍ଚ୍ଚ କରାଯିବ ଆହୁରି ୩ ଶହ କୋଟି।
ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଠପ୍‌ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ପାଣିପାଗ ବିଭାଗ ଆସନ୍ତା ୪ ଦିନ ମଧ୍ୟରେ ଦକ୍ଷିଣ ଓ ଉତ୍ତର କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି। ଏହାକୁ ନେଇ ବେଙ୍ଗାଲୁରୁବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ୪୨ ବର୍ଷ ଭିତରେ ବେଙ୍ଗଲୁରୁରେ ଏହା ସବୁଠୁ ବଡ଼ ବର୍ଷା ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.