ବିରୋଧୀଙ୍କୁ ଏକାଠି କରିବେ ନୀତୀଶ କୁମାର! କେଜ୍ରିୱାଲଙ୍କୁ ଭେଟିଲେ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି ଓ କଂଗ୍ରେସ ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି।
ବିଜେପିକୁ ୨୦୨୪ରେ ହରାଇବା ପାଇଁ ସେ ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦିଲ୍ଲୀ ଆସି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିବା ନୀତୀଶ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏକାଧିକ ବାମପନ୍ଥୀ ଦଳର ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି।
ନୀତୀଶ କୁମାର ଆଜି କେଜ୍ରିୱାଲଙ୍କୁ ଭେଟିବା ସମୟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜେଡିୟୁ ନେତା ସଞ୍ଜୟ ଝା ଉପସ୍ଥିତ ଥିଲେ। ଏମାନେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ ମଧ୍ୟ ଏହାର ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ିନି। କିନ୍ତୁ ଆଗାମୀ ରାଜନୀତିକ ରଣନୀତି ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସମସ୍ତେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି।
କେଜ୍ରିୱାଲଙ୍କୁ ଭେଟିବା ପୂର୍ବରୁ ସିପିଆଇ(ଏମ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କୁ ସେମାନଙ୍କ ଅଫିସକୁ ଯାଇ ଭେଟିଥିଲେ। ଏହାବାଦ ଅପରାହ୍ନରେ ନୀତୀଶ କୁମାର ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଇଏନଏଲଡି ସୁପ୍ରିମୋ ଓମ ପ୍ରକାଶ ଚୌତାଲାଙ୍କୁ ଭେଟିବେ।
ଆଜି ସୀତାରାମ ୟେଚୁରୀଙ୍କୁ ଭେଟିବା ପରେ ନୀତୀଶ କୁମାର କହିଛନ୍ତି ଯେ ଆମର ସମ୍ପର୍କ ବହୁଦିନର। ଯଦି ଦେଶର ସବୁ ବାମଦଳ ଏକାଠି ହୋଇଯିବେ, ତା’ହେଲେ ଏହା ବହୁତ ବଡ଼ କଥା ହେବ। ଯେଉଁମାନେ ସମ୍ବିଧାନକୁ ବିଶ୍ୱାସ କରନ୍ତି, ସେମାନଙ୍କୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୀତାରାମ ୟେଚୁରୀ ମଧ୍ୟ ଦେଶର ସବୁ ଧର୍ମନିରପେକ୍ଷ ରାଜନୀତିକ ଦଳ ଏକାଠି ହେବା ଜରୁରୀ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.