ଲିଜ୍‌ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଣୀ ଏଲିଜାବେଥ

ଲଣ୍ଡନ: କଞ୍ଜରଭେଟିଭ ପାର୍ଟିର ମୁଖିଆ ପଦ ପାଇଁ ହୋଇଥିବା ନିର୍ବାଚନ ବାଜିମାତ କରିଥିବା ଲିଜ୍‌ ଟ୍ରସଙ୍କୁ ଆଜି ରାଣୀ ଏଲିଜାବେଥ ୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତି କରିଛନ୍ତି। ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି।
ଲିଜ ଟ୍ରସ ମଙ୍ଗଳବାର ସ୍କଟଲ୍ୟାଣ୍ଡରେ ଥିବା ବାଲମୋରାଲ କାଷ୍ଟେଲରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ ତାଙ୍କୁ ରାଣୀ ଏଲିଜାବେଥ-୨ ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି। ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ବୋରିସ ଜନସନ ରାଣୀ ଏଲିଜାବେଥ-୨ଙ୍କୁ ଭେଟିଥିଲେ। ଏହି ସମୟରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀଙ୍କ ୭୦ ବର୍ଷର କ୍ଷମତା ଭିତରେ ସେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ବାଲମୋରାଲରେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୂର୍ବରୁ ଲଣ୍ଡନରେ ଥିବା ବକିଂହାମ ପ୍ୟାଲେସରେ ସେ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଉଥିଲେ। ଏଥର ଲିଜ୍‌ ଟ୍ରସଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି।
ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୪୭ ବର୍ଷୀୟ ଟ୍ରସ ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟ ଅଭିମୁଖେ ଉଡ଼ାଣ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ଅଭିଭାଷଣ ରଖିବେ। ଏଥିସହ ନିଜର କ୍ୟାବିନେଟ ସମ୍ପର୍କରେ ମଧ୍ୟ ଘୋଷଣା କରିବେ।
ସୋମବାର ଲିଜ୍‌ ଟ୍ରସ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ହରାଇ କଞ୍ଜରଭେଟିଭ ପାର୍ଟିର ମୁଖିଆ ନିର୍ବାଚନ ଜିତିଥିଲେ। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରେ ଅର୍ଥ ଓ ଲିଜ୍ ଟ୍ରସ୍ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ନିର୍ବାଚନରେ ଲିଜଙ୍କୁ ୮୧ହଜାର ୩୨୬ ଖଣ୍ଡ ଭୋଟ୍ ଓ ଋଷି ସୁନକଙ୍କୁ ୬୦ହଜାର ୩୯୯ ଖଣ୍ଡ ଭୋଟ୍ ମିଳିଥିଲା। ବୋରିସ୍ ଜନସନ୍ ଜୁନ୍ ୭ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.