ବଦଳିବ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବଦଳିବ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାଁ। ଏହାର ନାଁ ‘କର୍ତ୍ତବ୍ୟ ପଥ’ ରଖାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମା ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଥିବା ପୂରା ଅଞ୍ଚଳ ଏବେ ‘କର୍ତ୍ତବ୍ୟ ପଥ’ ଭାବେ ପରିଚିତ ହେବ। ଉପନିବେଶବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କେନ୍ଦ୍ର ସରକାରଙ୍କର ଏହା ହେଉଛି ଆଉ ଏକ ପଦକ୍ଷେପ।
ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ନଗରପାଳିକା ପରିଷଦ (ଏନ୍‌ଡିଏମ୍‌ସି) ଆସନ୍ତା ୭ ତାରିଖରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛି। ଏଥିରେ ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାଁ ‘କର୍ତ୍ତବ୍ୟ ପଥ’ ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇ ଏହାକୁ ପାରିତ କରାଯିବ।
ଗତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଦେଶରେ ଉପନିବେଶବାଦ ସହିତ ଜଡ଼ିତ ହୋଇ ରହିଥିବା ସମସ୍ତ ପ୍ରତୀକ ଓ ଚିହ୍ନକୁ ଉଚ୍ଛେଦ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
କିଛି ଦିନ ତଳେ ଭାରତୀୟ ନୌସେନାର ପତାକାକୁ ହଟାଇ ଦିଆଯାଇ ନୂଆ ପତାକା ଅନାବରଣ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଅନାବରଣ କରିଥିଲେ। ପୁରୁଣା ପତାକା ଉପନିବେଶବାଦର ପରିଚୟ ବହନ କରୁଥିଲା ବୋଲି ସେ ଏହି ଅବସରରେ କହିଥିଲେ।
ସେହିଭଳି ଏହା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଥିବା ଅଞ୍ଚଳର ରାସ୍ତାର ନାଁ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ଏହି ରାସ୍ତାର ନାଁ ‘ରେସ୍‌ କୋର୍ସ ରୋଡ୍’ ଥିବା ବେଳେ ଏବେ ରଖାଯାଇଛି ‘ଲୋକ କଲ୍ୟାଣ ମାର୍ଗ’।

nis-ad
Leave A Reply

Your email address will not be published.