ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ: ରାସ୍ତା ପାଇଁ ୫ କୋଟି ବଜେଟ୍‌ ଅଟକଳ

କଟକ,୦୫/୦୯: ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଜମିକୁ ନେଇଥିବା ବିବାଦର ଅନ୍ତ ହେବା ପରେ ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ କାମ ତ୍ୱରାନ୍ୱିତ କରୁଛି ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରେ ଚଣ୍ଡୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍କୁ ବନ୍ଦ କରି ସେଠାରେ ଜଙ୍କସନ୍‌ କରିବାକୁ ଯୋଜନା କରାଯାଇଛି ।

ସେହିପରି ଲାଲା ମଠରୁ ଚଣ୍ଡୀଛକ ପର୍ଯ୍ୟନ୍ତ ଏକ ନୂଆ ରାସ୍ତା ଶୈଳବାଳା କଲେଜ ପଡ଼ିଆ ଦେଇ ନିର୍ମାଣ କରାଯିବ । ଜଙ୍କସନ୍‌ ଓ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପ୍ରାୟ ୫କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରିଥିବା ଜଣାପଡିଛି।

ପ୍ରକଳ୍ପ ନକ୍ସା ଅନୁଯାୟୀ, ଚଣ୍ଡୀମନ୍ଦିରକୁ ଶେଖ୍‌ବଜାର ପଟରୁ ସଂଯୋଗ କରୁଥିବା ରାସ୍ତା ଲାଲାମଠ ପାଖରେ ନିକଟସ୍ଥ କଲଭର୍ଟ ପାଖରୁ ବନ୍ଦ ହେବ । ରାସ୍ତାଟି ସାମାନ୍ୟ ବଙ୍କା ଯାଇ ଶୈଳବାଳା କଲେଜ ଖେଳପଡିଆ ଦେଇ ଯିବ । ତେଣୁ ଦୁଇ ପାଶ୍ୱର୍ରୁ ଶୈଳବାଳାର ଖେଳପଡିଆ ପାଚେରୀକୁ ଭାଙ୍ଗି ରାସ୍ତା ନିର୍ମାଣ କରାଯିବ । ଯାହାଫଳରେ ଲାଲାମଠ କଲଭର୍ଟ ଠାରୁ ମିଲେନିୟମ୍‌ ସିଟି ଗେଟ୍‌ ପର୍ଯ୍ୟନ୍ତ ଅଞ୍ଚଳଟି ଜଙ୍କସନ୍‌ ଭାବେ ପ୍ରତିଷ୍ଠା ହେବ । ଏଥିରେ ପାଦ ଚଲା ରାସ୍ତା ରହିବ । ଚଣ୍ଡୀମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁ ଉଭୟ ପାଶ୍ୱର୍ରେ ଗାଡ଼ି ରଖି ଜଙ୍କସନ୍‌ ମଧ୍ୟ ଦେଇ ମନ୍ଦିରରେ ପ୍ରବେଶ କରିବେ । ଏହି ଯୋଜନା କାର୍ଯ୍ୟକାରିତା ପାଇଁ ଚଣ୍ଡୀମନ୍ଦିର ପାଶ୍ୱର୍ରେ ଲାଗି ରହିଥିବା ଦୋକାନ ଘର ଏବଂ କଲ୍ୟାଣ ମଣ୍ଡପକୁ ମଧ୍ୟ ଭଙ୍ଗା ଯାଇଛି । ଜଙ୍କସନ୍‌ ଏବଂ ଡାଇଭର୍ଟ ରାସ୍ତା ନିର୍ମାଣ କରିବାକୁ ୫ କୋଟି ୭ଲକ୍ଷ ୨୧ ହଜାର ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌, ପ୍ରସାଦ ସେବନ ବ୍ୟବସ୍ଥା, କ୍ଲକ୍‌ ରୁମ୍‌, ବିଶୁଦ୍ଧ ପାନୀୟ ଜଳ ସୁବିଧା, ବ୍ୟାଖ୍ୟାନ କେନ୍ଦ୍ର ଆଦି ନିର୍ମାଣ କରାଯିବ । ଯାତ୍ରୀ ମାନଙ୍କ ପାଇଁ ଯାତ୍ରୀ ନିବାସ ପ୍ରତିଷ୍ଠା କରାଯିବ । ମନ୍ଦିର ସମ୍ପ୍ରସାରଣ ଓ ଜବରଦଖଲ ଉଚ୍ଛେଦ ହେବାକୁ ଥିବା ବେଳେ ବିସ୍ଥାପିତ ଦୋକାନୀଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ୍‌ ଗୃହ ଆଦି ନିର୍ମାଣ କରାଯିବ । ପାର୍କିଂ ସହିତ ଖୋଲାସ୍ଥାନ ରଖାଯାଇ ଓ ଲ୍ୟାଣ୍ଡ୍‌ ସ୍କେପିଂ କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ରହଣି ପାଇଁ ଯାତ୍ରୀନିବାସ ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିବ । ସେହିପରି ମନ୍ଦିର ପରିସରରୁ ଜଳ ନିଷ୍କାସନ ପାଇଁ ମନ୍ଦିର ଚଟାଣକୁ ଉଚ୍ଚା କରାଯିବ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.