କଟକ: ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମର୍କତନଗର ଥାନା ପୁଲିସ ଦଫା ୩୦୨, ୨୯୪, ୩୨୩, ୩୪ରେ ଏକ ମାମଲା(କେସ୍ ନଂ ୧୬୦) ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ରହସ୍ୟ ଜଣା ପଡ଼ିବ।
ଏଠାରେ ସୂଚନାଯୋଗ୍ୟ ଯେ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ସୁବାସଙ୍କ ମା ତୁଳସୀ ବିହାରୀ ହତ୍ୟା ଅଭିଯୋଗ ଆଣିଛନ୍ତି। ପତ୍ନୀ ଓ ଶଳା ସୁବାସଙ୍କୁ ହତ୍ୟା କରି ଟାଙ୍ଗୀଦେଇଥିବା ଅଭିଯୋଗ କରିଛନ୍ତି। ଏଭଳି ସଂଗିନ ଅଭିଯୋଗ ମର୍କତନଗର ଥାନାରେ କରାଯାଇଛି। ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ସୁବାସଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ମୃତ ବିଚାରପତି ଶ୍ରୀ ବିହାରୀଙ୍କ ମା ତୁଳସୀ ବିହାରୀ ମର୍କତନଗର ଥାନାରେ ଏକ ଏତଲା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ ସୁବାସ ଯାଜପୁର ସଦର ଅଞ୍ଚଳର ଶ୍ରୀବତ୍ସ ରାୟଙ୍କ ଝିଅ ଅପରାଜିତା ରାୟଙ୍କୁ ଗଲା ୧୫ ବର୍ଷ ତଳେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ବୋହୂ ତାଙ୍କ ପୁଅଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସୁବାସଙ୍କ ମଝିଆ ଶ୍ବଶୁରଙ୍କ ପୁଅ ସର୍ବଜିତ ରାୟ ମଧ୍ୟ ପୁଅ ବୋହୂଙ୍କ ନିକଟରେ ରହି ଆସୁଥିଲେ। ଉଭୟ ସୁବାସଙ୍କୁ ମିଳିମିଶି ଶାରୀରିକ ନିର୍ଯାତନା ଦେଉଥିବା ସମ୍ପର୍କରେ ନିଜେ ସୁବାସ ତାଙ୍କ ମା ତୁଳସୀଙ୍କୁ କହିଥିଲେ। ଗଲା ୨ ତାରିଖ ଦିନ ପ୍ରାୟ ଗୋଟାଏ ୪୭ ବେଳେ ସୁବାସଙ୍କ ସାନ ଭାଇ ସୁବୋଧଙ୍କ ନିକଟକୁ ସୁବାସଙ୍କ ମୃତ୍ୟୁ ସମ୍ପର୍କରେ ଫୋନ୍ କରି ସୂଚନା ଦିଆଯାଇଥିଲା। ସେଦିନ ସୁବାସଙ୍କ ମା, ସାନ ଭାଇ ଏବଂ ଅନ୍ୟମାନେ ସିଡିଏର ଏକ ଘରୋଇ ହସପିଟାଲରେ ପହଞ୍ଚିଥିଲେ। ସୁବାସଙ୍କ ଗଳା, ଛାତି ଓ ପେଟରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ସୁବାସଙ୍କୁ ତାଙ୍କ ପତ୍ନୀ ଓ ମଝିଆ ଶ୍ବଶୁରଙ୍କ ପୁଅ ସର୍ବଜିତ ମିଶି ହତ୍ୟା କରିବା ପରେ ଟାଙ୍ଗୀଦେଇଥିବା ତୁଳସୀ ଅଭିଯୋଗ ଆଣିଛନ୍ତି। ସୁବାସଙ୍କ ଶବକୁ ତାଙ୍କ ସାନ ଭାଇ ଓ ଅନ୍ୟ ସମ୍ପର୍କୀୟ ସଂସ୍କାର ପାଇଁ ଆଣିବାକୁ ଅଡ଼ି ବସିବାରୁ ତାଙ୍କ ପତ୍ନୀ ଓ ଅନ୍ୟମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସଂସ୍କାର କରିବାକୁ ନେଇଯାଇଥିବା ମା ତୁଳସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମା’ ତୁଳସୀ ଏତଲାରେ ଦର୍ଶାଇଛନ୍ତି।