ଋଷି ସୁନକ ବନାମ ଲିଜ୍‌ ଟ୍ରସ: ସୋମବାର ବ୍ରିଟେନ୍‌ ପାଇବ ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀ ଦୌଡ଼ରେ ଶେଷକୁ ରହିଛନ୍ତି ଦୁଇ ପ୍ରତିଦ୍ବନ୍ଦ୍ବୀ ଋଶି ସୁନକ ଓ ଲିଜ ଟ୍ରସ। ଏମାନଙ୍କ ମଧ୍ୟରେ ଦୌଡ଼ର ପରିସମାପ୍ତି ଘଟିବ ସୋମବାର ସନ୍ଧ୍ୟାରେ, ଯେତେବେଳେ କଞ୍ଜରଭେଟିଭ୍ ପାର୍ଟି ନିଜର ତଥା ଦେଶର ନେତା ବାଛିବା ପାଇଁ ଆଭ୍ୟନ୍ତରୀଣ ନିର୍ବାଚନର ଫଳାଫଳ ଘୋଷଣା କରିବ। ଶୁକ୍ରବାର ଦଳର ପ୍ରାୟ ୧.୬ ଲକ୍ଷ ସଦସ୍ୟଙ୍କଠାରୁ ଭୋଟ ଗ୍ରହଣ ଶେଷ ହୋଇଛି। ତେବେ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ କ୍ଷମତା ହସ୍ତାନ୍ତର ଲଣ୍ଡନର ବକିଂହାମ ପ୍ୟାଲେସ ବଦଳରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲରେ ଅନୁଷ୍ଠିତ ହେବ। ପାରମ୍ପରିକ ନିୟମରେ ଏହି ପରିବର୍ତ୍ତନର କାରଣ ହେଲା ରାଣୀ ଏଲିଜାବେଥ-ଦ୍ବିତୀୟ ବର୍ତ୍ତମାନ ସ୍କଟଲାଣ୍ଡରେ ତାଙ୍କର ଗ୍ରୀଷ୍ମ ଛୁଟି କଟାଉଛନ୍ତି। ଲଣ୍ଡନକୁ ଏବେ ତାଙ୍କର ଫେରିବାର ଯୋଜନା ନାହିଁ।
ପ୍ରଥମେ ଜନସନ ମଙ୍ଗଳବାର ଲଣ୍ଡନର ୧୦, ଡାଉନିଂ ଷ୍ଟ୍ରିଟରେ ଏକ ବିବୃତି ଜାରି କରିବେ। ତା’ପରେ ସେ ସ୍କଟଲାଣ୍ଡ ଯାଇ ରାଣୀଙ୍କୁ ତାଙ୍କର ଇସ୍ତଫା ଦେବା କଥା ଅବଗତ କରାଇବେ। ଏହାପରେ ବିଜେତା ସୁନକ ବା ଟ୍ରସ ରାଣୀଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଅନୁମତି ପ୍ରାର୍ଥନା କରିବେ। ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ରାଣୀଙ୍କ ରାଜକୀୟ ଦଲିଲରେ ଉଲ୍ଲେଖ କରାଯିବ। ଏହାପରେ ନୂଆ ପ୍ରଧାନମନ୍ତ୍ରୀ (ସୁନକ ବା ଟ୍ରସ) ଫେରିଆସି ଡାଉନିଂ ଷ୍ଟ୍ରୀଟ୍ ବାହାରେ ଅପରାହ୍ଣ ପ୍ରାୟ ୪ଟାରେ ଉଦ୍‌ବୋଧନ ଦେବେ ଏବଂ ତା’ପରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେବେ। ବୁଧବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ହାଉସ୍ ଅଫ୍ କମନ୍ସ ସଦନରେ ପ୍ରବେଶ କରିବା ପୂର୍ବରୁ ନୂଆ କ୍ୟାବିନେଟ୍ ମନ୍ତ୍ରୀମାନେ ବୈଠକରେ ଏକଜୁଟ ହେବେ। ବିରୋଧୀ ଲେବର ପାର୍ଟିର ନେତା କେର ଷ୍ଟାମରଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହିତ ଗୃହକାର୍ଯ୍ୟ ଆରମ୍ଭ କରାଯିବ।

nis-ad
Leave A Reply

Your email address will not be published.