ଜୋ ବାଇଡେନ୍‌ ଦେଶର ଶତ୍ରୁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ୱିଲ୍‌କ୍ସ ବାରି: ଶନିବାର ଦିନ ପେନ୍‌ସିଲ୍‌ଭାନିଆରେ ଆୟୋଜିତ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ତାଙ୍କର ଉତ୍ତରାଧିକାରୀ ଜୋ ବାଇଡେନ୍‌ଙ୍କୁ ‘ଦେଶର ଶତ୍ରୁ’ ବୋଲି କହିଛନ୍ତି। ଗତମାସରେ ଟ୍ରମ୍ପ୍‌ଙ୍କ ଫ୍ଲୋରିଡାସ୍ଥିତ ବାସଭବନରେ ‘ଏଫ୍‌ବିଆଇ’ ଚଢ଼ାଉ ପରିପ୍ରେକ୍ଷୀରେ ସରକାରଙ୍କୁ ସମାଲୋଚନା କରି ଟ୍ରମ୍ପ୍‌ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଅଗଷ୍ଟ ୮ ତାରିଖ ଚଢ଼ାଉ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖା ଦେଇଥିବା ଟ୍ରମ୍ପ୍‌ କହିଛନ୍ତି, ଉକ୍ତ ତଲାସ ଥିଲା ବିଚାର ବ୍ୟବସ୍ଥା ପ୍ରତି ବିଦ୍ରୂପ। ସତର୍କ କରାଇ ସେ ପୁଣି କହିଛନ୍ତି, ଏଭଳି ଚଢ଼ାଉ ଏମିତିକା ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିବ ଯାହା କେହି କେବେ ଦେଖି ନ ଥିବେ।
ସେ ଆହୁରି ମଧ୍ୟ କହିଛନ୍ତି, ମାତ୍ର ଅଳ୍ପ କେଇ ସପ୍ତାହ ପୂର୍ବେ ଆମେରିକୀୟ ସ୍ବାଧୀନତା ପ୍ରତି ଯେଉଁ ବିପଦ ଆପଣମାନେ ଦେଖିଲେ ତା’ଠାରୁ ବାସ୍ତବ ଓ ପ୍ରାଞ୍ଜଳ ଉଦାହରଣ ଆଉ ନ ଥାଇ ପାରେ। ଆମେରିକା ଇତିହାସରେ ଏହା ଥିଲା ‌ପ୍ରଶାସନିକ କ୍ଷମତାର ସବୁଠୁ ଭୀଷଣ ଆଘାତଦାୟକ ଅପବ୍ୟବହାର।
ସେହିପରି, ଚଳିତ ସପ୍ତାହରେ ବାଇଡେନ୍‌ ଦେଇଥିବା ଭାଷଣକୁ ମଧ୍ୟ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ଉକ୍ତ ଭାଷଣରେ ରାଷ୍ଟ୍ରପତି ବାଇଡେନ୍‌ କହିଥିଲେ କି, ତାଙ୍କ ପୂର୍ବରୁ ଥିବା ରାଷ୍ଟ୍ରପତି ଓ ‘ରିପବ୍ଲିକାନ୍‌’ ସମର୍ଥକମାନେ ଆମ ଗଣତନ୍ତ୍ରର ମୂଳଦୁଆ ପ୍ରତି ବିପଦ ସୃଷ୍ଟି କରୁଥିବା ଉଗ୍ରବାଦର ପ୍ରତିନିଧିତ୍ବ କରୁଛନ୍ତି।
ଏଭଳି ବିପଜ୍ଜନକ, ଘୃଣ୍ୟ ଏବଂ କ୍ରୋଧ ଉଦ୍ରେକକାରୀ ଭାଷଣ କେବେ କୌଣସି ଆମେରିକୀୟ ରାଷ୍ଟ୍ରପତି ଦେଇ ନ ଥି‌ବେ। ସେ ହେଉଛନ୍ତି ଦେଶର ଜଣେ ଶତ୍ରୁ। ଆପଣ ସେ କଥା ଜାଣିବାକୁ ଆଗ୍ରହୀ କି?
ନିଜ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ମୋଭ୍‌ମେଣ୍ଟ୍‌’କୁ (ପୁଣି ଆମେରିକାକୁ ଶ୍ରେଷ୍ଠ କରିବା ଆନ୍ଦୋଳନ) ପ୍ରଶଂସା କରି ଟ୍ରମ୍ପ୍‌ କହିଲେ, ଏହି ଆନ୍ଦୋଳନ ଆମ ଗଣତନ୍ତ୍ରକୁ ଦୁର୍ବଳ କରିବାର ଉଦ୍ୟମ ନୁହେଁ। କହିବାକୁ ଗଲେ, ଆମେହିଁ ଗଣତନ୍ତ୍ରକୁ ବଞ୍ଚାଇବାକୁ ଉଦ୍ୟମ କରୁଛୁ। ଗଣତନ୍ତ୍ର ପ୍ରତି ବିପଦ ଉଗ୍ର ବାମପନ୍ଥୀମାନଙ୍କ ଆଡୁ ଆସୁଛି, ଦକ୍ଷିଣପନ୍ଥୀଙ୍କ ପଟୁ ଆସୁଛି।

nis-ad
Leave A Reply

Your email address will not be published.