ଯେବେଠାରୁ ବିଜେପି କ୍ଷମତାକୁ ଆସିଛି ଦରଦାମ ବେଲଗାମ ହୋଇଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଆଜି ହାଲ୍ଲାବୋଲ କରାଯାଇଛି। ରାଜଧାନୀ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ଏହି ରାଲିରେ କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ନାରାବାଜି କରାଯାଇଥିଲା। ଦିଲ୍ଲୀର ରାମଲିଳା ମୈଦାନରେ ଆୟୋଜିତ ସଭାରେ ଉଦୋବୋଧନ ଦେଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ରାହୁଲ କହିଥିଲେ ଯେ, ଯେବେଠାରୁ ବିଜେପି କ୍ଷମତାକୁ ଆସିଲାଣି ସେବେଠାରୁ ଦରଦାମ ବୃଦ୍ଧି ପାଉଛି। ଦେଶକୁ ବିଜେପି ଏବଂ ଆରଏସସ ବିଭାଜନ କରୁଛନ୍ତି। ଲୋକଙ୍କୁ ଭୟଭୀତ କରି ସେମାନଙ୍କୁ ଅଲଗା କରାଯାଉଛି। ଏହି ଭୟରୁ ବିଜେପିହିଁ ଫାଇଦା ଉଠାଉଛି। ଦେଶର ଗରିବ ଓ ଚାଷୀମାନେ ମୋଦି ସରକାରଙ୍କଠାରୁ କୌଶସି ସୁବଧା ପାଉ ନାହାନ୍ତି। କେବଳ ବଡ଼ ବଡ଼ ଶିଳ୍ପପତିମାନେ ଲାଭବାନ ହେଉଛନ୍ତି। କେବଳ ୨ ଜଣ ଶିଳ୍ପପତି ଫାଇଦା ପାଉଛନ୍ତି ବୋଲି ରାହୁଲ କହିଛନ୍ତି। କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳ ମୈଦାନ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍‌ଭାଇଜରୀ ମଧ୍ୟକ ଜାରି କରାଯାଇଛି। ରାଲି ପାଇଁ କେଉଁ ରାସ୍ତା ସବୁ ବନ୍ଦ ରହିଛି ସେ ନେଇ ଟ୍ୱିଟ୍ କରି ଯାତ୍ରୀଙ୍କୁ ଅବଗତ କରିଛି ଦିଲ୍ଲୀ ପୁଲିସ। ସୂଚନା ଅନୁସାରେ, ରାଲି ସ୍ଥାନରେ ସ୍ଥାନୀୟ ପୁଲିସ ସହ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଥିଲା। ରାଲିକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଛନ୍ତି ମହଙ୍ଗା ସ୍ଥିତି ବିରୋଧରେ ଆମର ଆନ୍ଦୋଳନ କେବଳ ଏହି ରାଲିରେ ସୀମିତ ରହିବ ନାହିଁ। ସେପ୍ଟେମ୍ବର ୭ ତାରିଖ ଠାରୁ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ବ କରିବ। ଏଥିରେ ଏକାଧିକ କଂଗ୍ରେସ ସଦସ୍ୟ ଓ ଦଳର ସାଂସଦମାନେ ଏହି ଯାତ୍ରାରେ ଯୋଗ ଦେବେ।
କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି ବେଣୁ ଗୋପାଳ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ସରକାର ଏସବୁରେ କୌଣସି ସମାଧାନ କରୁ ନାହାନ୍ତି । ସେ କେବଳ ଅନ୍ୟ ଦଳରୁ ବିଧାୟକ କିଣିବାରେ ବ୍ୟସ୍ତ ରହୁଛନ୍ତି। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଦରଦାମ ବୃଦ୍ଧି ଓ ଜିଏସ୍‌ଟି ବୃଦ୍ଧିକୁ ନେଇ ଅଗଷ୍ଟକ ୫ ତାରିଖରେ ବଡ଼ ଧରଣର ରାଲି କରିସାରିଛି।

nis-ad
Leave A Reply

Your email address will not be published.