ଦୁର୍ଘଟଣାରେ ଚାଲିଗଲେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ

ମୁମ୍ବାଇ: ଦୁର୍ଘଟଣାରେ ଚାଲିଗଲେ ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଆଜି ପରଲୋକ ଘଟିଛି। ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘରର ଚାରୋଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ସାଇରସ ତାଙ୍କ ମର୍ସଡିଜ୍‌ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲେ। ବାଟରେ ସୂର୍ଯ୍ୟ ନଦୀରେ ଏହି ଅଘଟଣ ଘଟିଛି। ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କାରଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ପୁଲିସ କହିଛି। ଘଟଣାସ୍ଥଳରେ ପୁଲସି ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା।ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଚେୟାରମ୍ୟାନ ଥିଲେ। ହେଲେ ୨୦୧୬ ଅକ୍ଟୋବରରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।ଟାଟା ଗ୍ରୁପର ୧୫୦ ବର୍ଷର ଇତିହାସରେ ମିସ୍ତ୍ରୀ ଚେୟାରମ୍ୟାନ ହେବାରେ ଟାଟା ପରିବାରର ଦ୍ଵିତୀୟ ବାହାର ବ୍ୟକ୍ତି ଥିଲେ। ସାଇରସ୍‌ ହେଉଛନ୍ତି ଭାରତର ପ୍ରଖ୍ୟାତ ନିର୍ମାଣ ଉଦ୍ୟୋଗୀ ପାଲୋନ୍‌ଜୀ ମିସ୍ତ୍ରୀଙ୍କ ସାନ ପୁଅ। ଭାରତର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପାଲୋନ୍‌ଜୀ ମିସ୍ତ୍ରୀ। ସବୁଠାରୁ ବଡ଼ କଥା ହେଲା, ତାଙ୍କ ପରିବାର ପାଖରେ ଟାଟା କମ୍ପାନିର ସର୍ବାଧିକ ୧୮ ପ୍ରତିଶତରୁ ଅଧିକ ସେୟାର ରହିଛି।
ସାଇରସ ମିସ୍ତ୍ରୀ ଥିଲେ ଜଣେ ବିଚକ୍ଷଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତି। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଲାଭ କରିବା ପରେ ଲଣ୍ଡନର ଏମ୍ପରିଆଲ କଲେଜ୍‌ରୁ ଇଞ୍ଜିନିୟରିଂ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ବିଜନେସ୍‌ରୁ ସ୍ନାତକତ୍ତୋର ଲାଗ କରିଥିଲେ।୧୯୯୧ ମସିହାରେ ନିଜ ପିତାଙ୍କ ଶପୁରଜୀ ପାଲୋନ୍‌ଜୀ ଗ୍ରୁପର ବୋର୍ଡ ଅଫ୍‌ ଡାଇରେକ୍ଟର ପଦରେ ଦାୟିତ୍ୱ ସମ୍ଭାଳିଥିଲେ। ଏହାର ୩ ବର୍ଷ ପରେ ତାଙ୍କୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ନେତୃତ୍ୱରେ ଶପୁରଜୀ ପାଲୋନ୍‌ଜୀ କମ୍ପାନିର ଆୟ ୨ କୋଟି ଡଲାରରୁ ବଢ଼ି ୧୫ କୋଟି ଡଲାର ପହଞ୍ଚିଥିଲା। ମିସ୍ତ୍ରୀଙ୍କ ବିଚକ୍ଷଣ ପ୍ରତିଭା ଏବଂ ନମ୍ରତା ଆଚରଣ ଦେଖି ଟାଟା କମ୍ପାନର ମାଲିକ ରତନ ଟାଟା ତାଙ୍କ ଉପରେ ବେଶ୍‌ ପ୍ରଭାବିତ ହୋଇଥିଲେ।୨୦୧୨ ମସିହାରେ ସାଇରସ୍‌ ମିସ୍ତ୍ରୀ ଟାଟା ସନ୍‌ସର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ। ଏହା ସହିତ ଟାଟା ଏଲେକ୍ସି ଏବଂ ଟାଟା ପାୱାରର ନିର୍ଦ୍ଦେଶକ ପଦ ମଧ୍ୟ ସମ୍ଭାଳିଥିଲେ। ଗୋଟେ ସମୟରେ ସେ ଥିଲେ ରତନ ଟାଟାଙ୍କ ଅତି ପାଖ ଲୋକ। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ବିଚାରଧାରାରେ ପରିବର୍ତ୍ତନ ଦେଖାଦେଲା। ନିଯୁକ୍ତି ମିଳିବାର ଦୁଇ ବର୍ଷ ପରେ ସାଇରସ୍‌ଙ୍କୁ କମ୍ପାନିର ଚେୟାରମ୍ୟାନ୍‌ ପଦରୁ ହଟାଇ ଦିଆଯାଇଥିଲା।

nis-ad
Leave A Reply

Your email address will not be published.