ବିଶ୍ୱସ୍ତରୀୟ ହେବ ବାଲେଶ୍ୱର ଷ୍ଟେସନ

ବାଲେଶ୍ୱର : ବିଶ୍ୱସ୍ତରୀୟ ହେବ ବାଲେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱର ଭଳି ଏହି ଷ୍ଟେସନ ଚମକିବ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓଡ଼ିଶାର ୪ଟି ଷ୍ଟେସନ ଏହି ଯୋଜନାରେ ସାମିଲ କରିଛନ୍ତି । ବାଲେଶ୍ୱର ସହ କଟକ, ସମ୍ବଲପୁର ଓ ରାଉଲକେଲା ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବା ନେଇ ଯୋଜନା ଜାରି ରହିଛି । ୨୦୨୪ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭ ହେବ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ³ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରେଳ ବିଭାଗର ଭିତ୍ତିଭୂମି ବିକାଶ ନେଇ ସ୍ୱତନ୍ତ୍ର ରଣନୀତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ରେଳ ଷ୍ଟେସନ ରୂପରେଖ ବଦଳିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ବଜେଟ୍‌ ମିଳିବାର ସମ୍ଭାବନା ରହିଛି । ଏହି ଷ୍ଟେସନରେ ସମସ୍ତ ବିଲ୍ଡିଂ ହଟିବା ସହ ଗୋଧିବସା ନିକଟରେ ନୂତନ ଅଟ୍ଟାଳିକା ନିର୍ମାଣର ବ୍ୟବସ୍ଥା ରହିଛି । ପ୍ଲାଟଫର୍ମ ଓ ରେଳ ଲାଇନ ବଢିବାର ଯୋଜନା ମଧ୍ୟ ରହିଛି । ସେହିପରି ଭାସ୍କରଗଞ୍ଜ-ଖ’କୁ ଲାଗି ରହିଥିବା ମାଲଗୋଦାମକୁ ନୋସି ଅଞ୍ଚଳକୁ ସ୍ଥାନାନ୍ତର କରିବାର ଯୋଜନା ରହିଛି । ଏହାଛଡ଼ା ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ୬ ମିଟର ଚଉଡ଼ାର ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ । ଏଥିପାଇଁ ସର୍ଭେ ଓ ଅର୍ଥ ମଞ୍ଜୁର ହୋଇଛି । ବହୁଶୀଘ୍ର ଏହାର କାମ ଆରମ୍ଭ ହେବ ।

ସେହିପରି ୨ନଂ ପ୍ଲାଟଫର୍ମରେ ଏକ ଏକ୍ସାଟର ନିର୍ମାଣ ନେଇ ଭିତ୍ତିଭୂମିର ଉଦ୍‌ଘାଟନ ମଧ୍ୟ ସରିଛି । ଷ୍ଟେସନର ବିକାଶକୁ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ଏଥିନେଇ ଷ୍ଟେସନର ପଶ୍ଚିମ ପାଶ୍ୱର୍କୁ ଲାଗି ରହିଥିବା ଗୋଧିବସା ବସ୍ତି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯିବ। ସେହିପରି ୧ ନଂ ଓ ୨ନଂ ପ୍ଲାଟଫର୍ମ ମଧ୍ୟରେ ରହିଥିବା ସବୁ ବିଭାଗର ଘରକୁ ଭଙ୍ଗାଯିବ । ଏହି ସ୍ଥାନରେ ନୂଆ ରେଳ ଲାଇନ ଓ ପ୍ଲାଟଫର୍ମ ସମ୍ପ୍ରସାରଣ ହେବାକୁ ଥିବାବେଳେ ଜବରଦଖଲ ଉଚ୍ଛେଦ ସ୍ଥାନରେ ଷ୍ଟେସନର ବିଭିନ୍ନ ବିଭାଗର କାର୍ଯ୍ୟ ପରିଚାଳନା ପାଇଁ ନୂଆ ଅଟ୍ଟାଳିକା ସବୁ ନିର୍ମାଣ କରାଯିବ । ଏଥିରେ ପ୍ୟାନେଲ ରୁମ୍‌, ଟିଟି କାର୍ଯ୍ୟାଳୟ, ଏସଏମଆର କାର୍ଯ୍ୟାଳୟ, ଡିଟିଆଇ କାର୍ଯ୍ୟାଳୟ, ଜନ ଆହାର କେନ୍ଦ୍ର, ଜିଆରଏଫ, ଆରପିଏଫ, ଜିଆରପି, ଆରଏମଏସ, ସିଆଇ କାର୍ଯ୍ୟାଳୟ ଆଦି ଚାଲିବ । ସେହିପରି ଅଧିକ ଭିତ୍ତିଭୂମି ପାଇଁ ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ବାଲେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେଲେ ଏହାର ଭିତ୍ତିଭୂମିର ବିକାଶ ହେବ । ରେଳ ଲାଇନ ଓ ପ୍ଲାଟଫର୍ମ ସଂଖ୍ୟା ବଢିବ, ଦୂରଗାମୀ ସମସ୍ତ ରେଳ ଏଠାରେ ରହିବ ଏବଂ ବିଶ୍ୱସ୍ତରୀୟ ଷ୍ଟେସନ ଭୁବନେଶ୍ୱର ଭଳି ଅନ୍ୟାନ୍ୟ ସମସ୍ତ ସୁବିଧା ମିଳିବ । ଏଥିନେଇ ବାଲେଶ୍ୱର ରେଳ ବିଭାଗ ପ୍ରବନ୍ଧକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ବିଭାଗ ଓ ରେଳ ମନ୍ତ୍ରଣାଳୟ ବିଭିନ୍ନ ଯୋଜନା କରୁଛନ୍ତି । କୌଣସି ତଥ୍ୟ ଦେବା ପାଇଁ ତାଙ୍କର ଅନୁମତି ନଥିବା ବେଳେ ସମ୍ପୃକ୍ତ ସୂଚନା ପାଇଁ ଖଡ଼ଗପୁର ଡିଭିଜନ ସହ ଯୋଗାଯୋଗ କରିବାକୁ କହିଥିଲେ ।

nis-ad
Leave A Reply

Your email address will not be published.