ଶାରଦୀୟ ପୂଜାରେ ଏଥର ରାତି ୧୨ ଯାଏ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିବ ଅନୁମତି

ଭୁବନେଶ୍ୱର,୦୧/୦୯: କରୋନା କାଳରେ ପାର୍ବଣ ଋତୁରେ ଗ୍ରହଣ ଲାଗିଥିଲା । ଦୁଇ ବର୍ଷ କଟକଣାରେ ଚାଲିଗଲା । ଏଥର ପାର୍ବଣକୁ ନେଇ ରାଜଧାନୀର ଭକ୍ତ ବେଶ୍‌ ଉତ୍ସାହିତ । ଗଳିକନ୍ଦିରେ ମାଳ ମାଳ ଗଣେଶ ପୂଜା ମଣ୍ଡପ ମାହୋଲରୁ ସ୍ପଷ୍ଟ ବାରି ହୋଇପଡୁଛି । ଶାରଦୀୟ ପୂଜା ବେଳକୁ ସହର ଉଠିବ ପଡି଼ବ । ଗହଳି ବହୁତ ବଢ଼ିବ । ଏନେଇ କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ନିଷ୍ପତ୍ତି ନିଆଯାଇଛି, ମେଲୋଡି, ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୨ଟା ଯାଏଁ ଚାଲିବ । ଏସବୁ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଟ୍‌ ଓ ସାଉଣ୍ଡ୍‌ ପାଇଁ ପୁଲିସ ଗ୍ରୀନ୍‌ ସିଗନାଲ ଦେଇଛି ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ୧୭୮ଟି ପୂଜା କମିଟିର କର୍ମକର୍ତ୍ତା ବିଭିନ୍ନ ସମସ୍ୟା ବଖାଣିଥିଲେ । ବିଭିନ୍ନ ପୂଜା କମିଟି ନିବେଦନ କରିଥିଲେ ଯେ, ପୂଜା ମାହୋଲରେ ବ୍ୟାପକ ପୁଲିସ ଫୋର୍ସ ସହ ଅଷ୍ଟମୀ ଦିନ ମହିଳା ପୁଲିସ ଫୋର୍ସ ମୁତୟନ କରାଯାଉ । ପୂଜା ପୂର୍ବରୁ ସ୍ୱରେଜ, ଡ୍ରେନେଜ୍‌ ସମସ୍ୟାର ସମାଧାନ ହେଉ । ଠିକଣା ଢଙ୍ଗରେ ଟ୍ରାଫିକ ପରିଚାଳନା କରାଯାଉ । ବିଦ୍ୟୁତ ପାଇଁ ସିଙ୍ଗିଲ୍‌ ମିଟର ବ୍ୟବସ୍ଥା ହେଉ । ଅଗ୍ନିଶମ ବିଭାଗର ଅନୁମତିରେ ଅହେତୁକ ବିଳମ୍ବରେ ପୂର୍ଣ୍ଣଛେଦ ପଡୁ଼ । ପୁଲିସ, ବିଏମ୍‌ସି ଓ ଅନ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏସବୁ ଦିଗ ପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶାନ୍ତିଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ରାବଣ ପୋଡି଼ ଓ ଭସାଣି ଯାତ୍ରା ନେଇ ବୈଠକରେ ଆଲୋଚନା ହୋଇଥିଲା । ପୂଜା ପାଇଁ ସହରରେ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ । ଏହାବାଦ୍‌ ୨ କମ୍ପାନି ସିଆର୍‌ପିଏଫ୍‌, ଷ୍ଟ୍ରାଇକିଂ ଫୋର୍ସ, ଏନ୍‌ଡିଆର୍‌ଏଫ୍‌, କୁଇକ୍‌ ଆକ୍ସନ ଟିମ୍‌ ମଧ୍ୟ ଜଗିବେ । କିଛି ଅସ୍ଥାୟୀ ପୁଲିସ କ୍ୟାମ୍ପ କରାଯିବ । ଟ୍ରାଫିକ୍‌ ପରିଚାଳନା ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯିବ ବୋଲି ପୁଲିସ ନିଷ୍ପତ୍ତି ନେଇଛି।

ବିଏମ୍‌ସି ମେୟର ସୁଲୋଚନା ଦାଶ, ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ଆଡିସନାଲ ପୁଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ, ବିଏମ୍‌ସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ୱାଇଁ, ରାଜଧାନୀ ମନ୍ଦିର ସୁରକ୍ଷା କମିଟିର ଦିଲୀପ କୁମାର ମହାନ୍ତି, ଭୁବନେଶ୍ୱର ଶାନ୍ତି କମିଟିର ସଭାପତି ଡ. ମଧୁମାଧବ ଜେନା ଉପସ୍ଥିତ ଥିଲେ ।

ପ୍ରତି ୱାର୍ଡକୁ ମିଳିବ ୫ ଲକ୍ଷ ଟଙ୍କା: ମେୟର

ଏବେ ସହରର କିଛି ଗଳିକନ୍ଦି ରାସ୍ତା ଖାଲଖମାରେ ଭର୍ତ୍ତି । ବର୍ଷା ଚାଲିଥିବାରୁ ମରାମତି ହୋଇପାରୁନି । ଏଥିପାଇଁ ପ୍ରତି ୱାର୍ଡକୁ ମିଳିବ ୫ ଲକ୍ଷ ଟଙ୍କା । ରାସ୍ତା ଚକାଚକ୍‌ ହେବନି । କିନ୍ତୁ ପୂଜା ପୂର୍ବରୁ କୌଣସି ରାସ୍ତାଘାଟରେ ଖାଲଖମା ରହିବନି । ଏହି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ସେ ଆହୁରି କହିଛନ୍ତି, ପାର୍ବଣ ବେଳେ ରାଜଧାନୀବାସୀ ଯେପରି ସ୍ୱରେଜ ଯନ୍ତ୍ରଣା ନଭୋଗିବେ ସେଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କୁ ଡାକି ତାଗିଦ୍‌ କରିବୁ । ଖୁବ୍‌ ଜଲ୍‌ଦି ଗଛକଟା ଆରମ୍ଭ କରିଦେବୁ । ସ୍ୱଚ୍ଛତା ପାଇଁ ନୂଆପଲ୍ଲୀ, ସହିଦ୍‌ନଗର ଭଳି ବଡ଼ ପୂଜା ମଣ୍ଡପରେ ଭ୍ରାମ୍ୟମାଣ ଟଏଲେଟ୍‌ ରହିବ । ପ୍ରତିଦିନ ପରିଷ୍କାର କରାଯିବ । କିନ୍ତୁ ମୋର କେବଳ ଗୋଟିଏ ନିବେଦନ, ପୂଜା ମଣ୍ଡପକୁ ସଫାସୁତରା ରଖନ୍ତୁ । ପୂଜା କମିଟି କର୍ମକର୍ତ୍ତା ମିଶିକି ଅଳିଆ ଆବର୍ଜନାକୁ ଗୋଟିଏ ଜାଗାରେ ଠୁଳ କରିବାକୁ ଅନୁରୋଧ । ସବୁଦିନ ୨ ଥର ବିଏମ୍‌ସି ଗାଡି଼ ବୁଲି ଅଳିଆ ଉଠାଇବ ।

ପୂଜାରେ ମାସ୍କ ବାଧ୍ୟତାମୂଳକ: ବିଧାୟକ

ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ୨ ବର୍ଷ ପରେ ପୂଜା ହେଉଥିବାରୁ ସମସ୍ତେ ଉତ୍ସାହିତ । ପୂର୍ବ ଅପେକ୍ଷା ପୂଜା ପେଣ୍ଡାଲରେ ଢେର୍‌ ଅଧିକ ଗହଳି ହେବ । କିନ୍ତୁ ଏବେ ଯାଏଁ କରୋନା ଡର ଯାଇନି । ପୂଜା ଗହଳିରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ । କମିଟି କର୍ମକର୍ତ୍ତାଙ୍କ ସହ ଭକ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଉ ।

ଅନୁମତି ପାଇଁ ସପ୍ତାହେ ସମୟ: ଡିସିପି

ଡିସିପି ପ୍ରତୀକ ସିଂ କହିଛନ୍ତି, ଲାଇଟ୍‌ ଆଣ୍ଡ ସାଉଣ୍ଡ ସହ ଅଗ୍ନିଶମ, ବିଦ୍ୟୁତ ବିଭାଗ ପାଇଁ ଚାରିଆଡ଼େ ଧାଇଁବାକୁ ପଡି଼ବନି । ଡିସିପି ଅଫିସ୍‌ ପରିସରରେ ଆସନ୍ତା ସେପ୍ଟେମ୍ବର ୨୦ ରୁ ୨୭ ତାରିଖ ଯାଏଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ । ସେଠାରେ ଭୁବନେଶ୍ୱର ସହରାଞ୍ଚଳର ପୂଜା କମିଟି ସଦସ୍ୟମାନେ ଉଭୟ ପୂଜା ଓ ଭଷାଣି ପାଇଁ ଆବେଦନ କରିପାରିବେ । ଯଥାଶୀଘ୍ର ସେମାନଙ୍କୁ ଅନୁମତି ଦିଆଯିବ ।

ବିକୃତ ମୂର୍ତ୍ତି ବରଦାସ୍ତ କରାଯିବନି: ଶାନ୍ତି କମିଟି

ଭୁବନେଶ୍ୱର ଶାନ୍ତି କମିଟି ସଭାପତି ଡ. ମଧୁମାଧବ ଜେନା କହିଛନ୍ତି, ୨ବର୍ଷ ପରେ କଟକଣାମୁକ୍ତ ପୂଜା ଦେଖିବ ରାଜଧାନୀ । ଖୁବ୍‌ଶୀଘ୍ର ଶାନ୍ତି କମିଟି ପକ୍ଷରୁ ଏକ ବୈଠକ ଡକାଯିବ । ଏଥର ଶାରଦୀୟ ପୂଜାରେ ବିକୃତ ମୂର୍ତ୍ତିକୁ ବରଦାସ୍ତ କରାଯିବନି । କି ମୂର୍ତ୍ତି ଓ ମଣ୍ଡପ ଗଢ଼ାରେ ରସାୟନ ଓ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବ୍ୟବହାର ହେବନି । କେବଳ ପାରମ୍ପରିକ ଛାପ ରହିବ । ପ୍ରତି ପୂଜା ପେଣ୍ଡାଲରେ ଦେଶୀ ଦ୍ରବ୍ୟ ମହକକୁ ଗୁରୁତ୍ୱ ଦିଆଯିବ । ପୂଜାରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ପୁରା ବ୍ୟାନ୍‌ ରହିବ । ପ୍ଲାଷ୍ଟିକ ବ୍ୟବହାର ଉପରେ କମିଟି ପକ୍ଷରୁ ନଜର ରଖାଯିବ ।

ଏଡିଏମ୍‌ ଅଫିସ୍‌ରେ ସିଙ୍ଗଲ ୱିଣ୍ଡୋ

ରାଜଧାନୀ ଉପକଣ୍ଠ ତଥା ଜଟଣୀ ବ୍ଲକ, ବାଲିପାଟଣା, ବାଲିଅନ୍ତା ଚନ୍ଦକା ଭଳି ଅଞ୍ଚଳରେ ପୂଜା ଅନୁମତି ପାଇଁ କମିଟି କର୍ମକର୍ତ୍ତା ଅନେକ ହଇରାଣ ହେଉଛନ୍ତି । ତହସିଲ୍‌ଦାର, ଥାନା, ଆରଆଇ ଓ ଅଗ୍ନିଶମ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ । ତେଣୁ ଏଡିଏମ୍‌ ଅଫିସ୍‌ରେ ସିଙ୍ଗଲ ୱିଣ୍ଡୋ ଅନୁମତି ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯିବ ।

ଚାନ୍ଦା ମାଗିଲେ ବନ୍ଧା ହେବେ

ପୂର୍ବରୁ ନଜିର୍‌ ରହିଛି, ପାର୍ବଣ ଆସିବା ମାତ୍ରେ ଲୋକାଲ୍‌ ଦାଦାଙ୍କ ଆର୍ବିଭାବ ହୋଇଯାଏ । ସେମାନେ ବୁଲି ବୁଲି ଦୋକାନୀ, ବ୍ୟବସାୟୀ, ବିଲ୍ଡର, ଭଡ଼ାଟିଆଙ୍କଠୁ ପୁଳା ପୁଳା ଟଙ୍କ ଆଦାୟ କରନ୍ତି । ପ୍ରତିବର୍ଷ ଭଳି ଏଥର ମଧ୍ୟ ‘ଲୋକାଲ୍‌ ଦାଦା’ଙ୍କୁ ନିସ୍ତାର ମିଳିବନି । କେହି ପୂଜା ବାହାନାରେ ଚାନ୍ଦା ମାଗିଲେ, ତାକୁ ଗିରଫ କରାଯାଇ ଜେଲ୍‌ ପଠାଯିବ । କମିଶନରେଟ୍‌ ପୁଲିସ ଏହି ସତର୍କବାଣୀ ଶୁଣାଇଛି । ପୂଜା ପୂର୍ବରୁ ଦାଗୀ ଓ ପେସାଦାର ଅପରାଧୀଙ୍କୁ ଖୋଜି ଖୋଜି ଗିରଫ କରାଯିବ ବୋଲି ପୁଲିସ ଯୋଜନା ରଖିଛି ।

nis-ad
Leave A Reply

Your email address will not be published.