ଏକାଥରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହେଲେ ଜଣେ ବ୍ୟକ୍ତି

ରୋମ: ମେଡିକାଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବରିଳ ଘଟଣା ଘଟିଛି। ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକଥରକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ୩ଟି ଯାକ ଭାଇରସର ଟେଷ୍ଟ ପଜିଟିଭ ଆସିଛି। ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି।
ଜର୍ଣ୍ଣାଲ ଅଫ ଇନଫେକ୍ସନରେ ପ୍ରକାଶିତ ରିପୋର୍ଟରେ ଗୋପନୀୟତା ଦୃଷ୍ଟିରୁ ସଂକ୍ରମିତଙ୍କ ନାଁ ସାର୍ବଜନୀନ କରାଯାଇନି। ହେଲେ ଏଥିରେ କୁହାଯାଇଛି ଯେ ବ୍ୟକ୍ତି ଜଣଙ୍କ ନିକଟରେ ୫ ଦିନିଆ ସ୍ପେନ ଟୁର୍‌ରେ ଯାଇଥିଲେ। ସେଠାରୁ ଇଟାଲୀ ଆସିବାର ୯ ଦିନ ପରେ ସେ ଜ୍ୱର, ଗଳା ଦରଜ, ଘୋଳାବିନ୍ଧା, ମୁଣ୍ଡବିନ୍ଧା ଭଳି ସମସ୍ୟାରେ ପଡ଼ିଥିଲେ।
ଲକ୍ଷଣ ଦେଖାଯିବାର ୩ ଦିନ ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଆଲର୍ଜି ଭଳି ଫଳି ଯାଇଥିଲା। ସେହିପରି ତାଙ୍କ ଶରୀରରେ ବଡ଼ବଡ଼ ଫୋଟକା ସବୁ ଦେଖାଯାଇଥିଲା। ସ୍ଥିତି ବିଗିଡ଼ିବାରୁ ସେ ହସ୍ପିଟାଲର ଜରୁରିକାଳୀନ ବିଭାଗକୁ ଯାଇଥିଲେ।
ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ସଂକ୍ରମିତ ରୋଗ ପାଇଁ ଉର୍ଦ୍ଦିଷ୍ଟ ବେଡ୍‌ରେ ଆଡମିଟ କରାଯାଇଥିଲା। ସେଠାରେ ତାଙ୍କର ମଙ୍କିପକ୍ସ ଟେଷ୍ଟ କରାଯାଇଥିଲା। ଏହା ପଜିଟିଭ ଆସିଥିଲା। ଏହାର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଏଚଆଇଭି ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଥିଲା।
ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜଣଙ୍କ ଓମିକ୍ରନର ସବ ଭ୍ୟାରିଏଣ୍ଟ BA.5.1 ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ଫାଇଜର ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ।
ଏହି ଖବର ଅଗଷ୍ଟ ୧୯ରେ ପ୍ରକାଶିତ ପାଇଥିଲା। ସେ ୩ଟି ଭାଇରସର ପଞ୍ଝାରେ ଏକାକାଳୀନ ପଡ଼ିଥିଲେ ମଧ୍ୟ ହସ୍ପିଟାଲର ଗୋଟିଏ ସପ୍ତାହ ଚିକିତ୍ସିତ ହୋଇଥିଲେ। ପ୍ରଥମେ କରୋନା ଓ ପରେ ବ୍ୟକ୍ତି ଜଣଙ୍କ ମଙ୍କିପକ୍ସକୁ ମାତ ଦେଇଥିଲେ। ଏବେ ତାଙ୍କ ଦେହରେ ସାମାନ୍ୟ କିଛି ଦାଗ ରହିଛି। ତେଣୁ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି। ଏବେ ସେ କେବଳ ଏଚଆଇଭି ସଂକ୍ରମଣର ଚିକିତ୍ସା କରୁଛନ୍ତି।

nis-ad
Leave A Reply

Your email address will not be published.