ମନି ଲଣ୍ଡରିଂ ଆଇନ: ନିଜ ରାୟର ପୁଣି ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନ ଉପରେ କେନ୍ଦ୍ରୀୟ ଏଜେନ୍ସିର ସବୁ କ୍ଷମତାକୁ କାଏମ ରଖିଥିବା ରାୟର ପୁଣି ବିଚାର କରିବେ ସୁପ୍ରିମକୋର୍ଟ । ବିଶେଷ କରି ଆଇନରେ ଥିବା ଦୁଇଟି ବ୍ୟବସ୍ଥାର ବିଚାର କରାଯିବାର ଆବଶ୍ୟକ ରହିଥିବା ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ଜଷ୍ଟିସ ଏଏମ ଖାନୱିଲକରଙ୍କ ଖଣ୍ଡପୀଠ ମନି ଲଣ୍ଡରିଂ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏଥିସହ ଇଡିର ସବୁ କ୍ଷମତାକୁ କାଏମ ରଖିଥିଲେ।
ଗତ ମାସରେ ଜଷ୍ଟିସ ଖାନୱିଲକର ଦେଇଥିବା ରାୟର ସମୀକ୍ଷା କରିବାକୁ ଆବେଦନ କରିଥିଲେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ। ସୁପ୍ରିମକୋର୍ଟ ଏହି ଆବେଦନକୁ ପୁର୍ନବିଚାର କରିବାକୁ ରାଜି ହୋଇଛନ୍ତି। ବିଶେଷ କରି ଆଇନରେ ଥିବା ଦୁଇଟି ବ୍ୟବସ୍ଥା ଉପରେ ବିଚାର କରାଯିବ। ଆଇନରେ ବ୍ୟବସ୍ଥା ଅଛି ଯେ ଇଡି ଜଣେ ମନି ଲଣ୍ଡରିଂ ଅଭିଯୁକ୍ତଙ୍କୁ Enforcement Case Information Report ବା ଇସିଆଇଆର ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ।
ସେହିପରି ତଦନ୍ତକାରୀ ସଂସ୍ଥା ଜଣେ ଅଭିଯୁକ୍ତକୁ ଦୋଷୀ ଭାବେ ପ୍ରମାଣ କରିବା ଜରୁରୀ ନୁହେଁ। ଅଭିଯୁକ୍ତ ନିଜେ ନିଜକୁ ନିର୍ଦ୍ଦୋଷ କରିବାକୁ ପଡ଼ିବ ବୋଲି ମନି ଲଣ୍ଡରିଂ ଆଇନରେ ଥିବା ବ୍ୟବସ୍ଥାର ବିଚାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।
ଜଷ୍ଟିସ ରମନ୍ନା କହିଛନ୍ତି, “ଏହି ଦୁଇ ଆଇନଗତ ବ୍ୟବସ୍ଥାକୁ ପୁର୍ନବିଚାର କରାଯିବାର ଆବଶ୍ୟକତା ରହିଥିବା ଆମେ ଅନୁଭବ କରୁଛୁ।” ଏହାପରେ ସୁପ୍ରିମକୋର୍ଟ ଜବାବ ରଖିବାକୁ କେନ୍ଦ୍ରକୁ ନୋଟିସ କରିଛନ୍ତି।
କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ଏହି ପୁର୍ନବିଚାର ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ କେବଳ ଏହି ଦୁଇଟି ପ୍ରସଙ୍ଗରେ ହିଁ ନୋଟିସ କରିବାର ଆବଶ୍ୟକ ରହିଛି। ତେବେ ଆବେଦନକାରୀ ଓକିଲ କପିଲ ଶିବଲ ପୂରା ରାୟର ପୁର୍ନବିଚାର କରିବାକୁ ନିବେଦନ କରିଥିଲେ।
ଅଭିଯୁକ୍ତକୁ ଗିରଫ, ସମ୍ପତ୍ତି ଜବତ, ବିନା ୱାରେଣ୍ଟରେ ଅଭିଯୁକ୍ତ ବିଭିନ୍ନ ଠିକଣାରେ ରେଡ ଓ ଜେରା ବେଳେ ଅଭିଯୁକ୍ତ ଦେଉଥିବା ବୟାନକୁ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରାଯାଇ ପାରିବ ବୋଲି ପିଏମଏଲଏମରେ ଥିବା ଅନ୍ୟ ବ୍ୟବସ୍ଥାଗୁଡ଼ିକ ପୁର୍ନବିଚାର କରାଯିବ ନାହିଁ। ଗତ ମାସରେ ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ପିଏମଏଲଏରେ ଥିବା ସବୁ ବ୍ୟବସ୍ଥାକୁ କାଏମ ରଖିଥିଲେ। ତେବେ ବିନା ସୂଚନାରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଓ ସେମାନଙ୍କୁ ଅଭିଯୋଗ ସଂକ୍ରାନ୍ତ କପି ନ ଦେବାକୁ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ।

nis-ad
Leave A Reply

Your email address will not be published.