ନଗର ସ୍ୱାସ୍ଥ୍ୟ ଅଭିଯାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର (୨୩/୦୮) : ନଗର ସ୍ୱାସ୍ଥ୍ୟ ମିଶନ୍ ର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯୀଇଛି । ବୈଠକରେ ବହିଃ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସଂଖ୍ୟା, ବହିଃ ଚିକିତ୍ସା ନିମନ୍ତେ ବିଶେଷଜ୍ଞ, ଏନ୍.କିଉ.ଏ.ଏସ୍ ଏବଂ କାୟାକଳ୍ପ ଯୋଜନା, ଇ- ସଞ୍ଜିବନୀ ପରାମର୍ଶ, ଖୁସି ଯୋଜନା, ଟିକା କରଣ, ଘରକୁ ଘର ବୁଲି ପରିବାର ସର୍ବେକ୍ଷଣ, ପ୍ରତ୍ୟେକ ମାସରେ ମୋବାଇଲ୍ ହେଲଥ୍ ୟୁନିଟ୍ କୁ ଆସୁଥିବା ରୋଗୀଙ୍କ ଉପସ୍ଥାନ, ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ, ବଜେଟ୍ ଓ ଖର୍ଚ୍ଚର ହିସାବ ଉପରେ ବିଶଦ ଭାବେ ଆଲୋଚନା ହୋଇଯାଇଛି । ଏଥି ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୨୦୨୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କୋଭିଡ୍ କେସ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ୨୦୨୦ ମସିହାରେ ୪୧୬୫ ଗୋଟି, ୨୦୨୧ ମସିହାରେ ୩୮୬୩ ଗୋଟି ଓ ୨୦୨୨ ମସିହାରେ ୧୪୪୨ ଗୋଟି ପଜିଟିଭ୍ କେସ୍ ଚିହ୍ନଟ କରାଯାଇଥିଲା । ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକା କରଣ ୧୧୩ ପ୍ରତିଶତ ଏବଂ ୧୫ ବର୍ଷରୁ ୧୭ ବର୍ଷ ପିଲାଙ୍କୁ ୬୧ ପ୍ରତିଶତ ଏବଂ ୧୨ ରୁ ୧୪ ବର୍ଷ ପିଲାଙ୍କୁ ୬୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ୭୯ ପ୍ରତିଶତ, ୧୫ ରୁ ୧୭ ବର୍ଷ ପିଲାଙ୍କୁ ୯୦ ପ୍ରତିଶତ ଏବଂ ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ୭୩ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା କରଣ କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ପ୍ରିକସନ୍ ଡୋଜ୍ ୪୫୯୧୯ ଜଣଙ୍କୁ ଦିଆଯାଇଛି ଯାହାକି ୧୭ ପ୍ରତିଶତ ଅଟେ । ସର୍ବ ପ୍ରଥମେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଥିବା ନିମନ୍ତେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଖୋଡାସିଙ୍ଗି ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉତ୍ତରମୁଖୀଙ୍କୁ ଜିଲ୍ଲାପାଳ ପ୍ରମାଣ ପତ୍ର ପ୍ରଦାନ କରି ସେମାନେ ଯୋଗାଇ ଦେଉଥିବା ସ୍ବାସ୍ଥ୍ୟ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ ।
ବୈଠକରେ ମାନ୍ୟବର ମେୟର ବ୍ରହ୍ମପୁର ଶ୍ରୀମତୀ ସଂଘମିତ୍ରା ଦଳେଇ, ମାନ୍ୟବର ଡେପୁଟି ମେୟର ଇଂ ଇ. ବିବେକ ରେଡ୍ଡୀ, ବ୍ରହ୍ମପୁର ମୁନିସିପାଲିଟିର କର୍ପୋରୋସନର କମିଶନର ଜେ. ସୋନାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ପ୍ରକଳ୍ପ ମ୍ଯାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଡା. ମନୋଜ କୁମାର ପଣ୍ଡା, ମେଡିକାଲ ଅଫିସର (ଭାରପ୍ରାପ୍ତ) ଡା. ସତ୍ୟ ନାରାୟଣ ଦାଶ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.