ଠିକ୍‌ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି ସରକାର : ଗଡ଼କରୀ

ନୂଆଦିଲ୍ଲୀ: ନିଜର ତୁଣ୍ଡ ଓ ବେଧଡ଼କ ବୟାନ ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ପୁଣି ମୁହଁ ଖୋଲିଛନ୍ତି। ନିଜର ଶାଣିତ ସ୍ୱର ପାଇଁ ତାଙ୍କୁ ନିକଟରେ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଥିଲା। ହେଲେ ସେ ଏପରି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଚୁପ ନ ରହି ମଞ୍ଜି କଥା କହିଛନ୍ତି। ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି। ଏହା ହିଁ ସବୁଠାରୁ ବଡ଼ ସମସ୍ୟା ବୋଲି କହି ଗଡ଼କରୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଆସୋସିଏସନ ଅଫ କନସଲ୍ଟିଂ ଇଞ୍ଜିନିୟର୍ସ ପକ୍ଷରୁ ମୁମ୍ବାଇରେ ଆୟୋଜିତ NATCON 2022 କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଆପଣମାନେ ଚମତ୍କାର କରିପାରିବେ, ଏଥିପାଇଁ ଦକ୍ଷତା ଅଛି। ମୋ ମତାମତ ହେଉଛି ଭାରତୀୟ ଭତ୍ତିଭୂମିର ଭବଷ୍ୟତ ବେଶ ଉଜ୍ଜ୍ୱଳ। ଆମକୁ ଭଲ ଟେକ୍ନୋଲଜି, ଭଲ ଚିନ୍ତାଧାରା, ଭଲ ଗବେଷଣାକୁ ଗ୍ରହଣ କରିବାକୁ ପଡ଼ିବ।
ସେହିପରି ଏଗୁଡ଼ିକ ଉପରେ ସଫଳତାର ସହ ବିଶ୍ୱ ଓ ଦେଶରେ ଅଭ୍ୟାସ କରିବାକୁ ହେବ। ଗୁଣବତ୍ତାରେ ବୁଝାମଣା ନ କରି ଆମକୁ ଦାମ ହ୍ରାସ କରାଯାଇ ପାରୁଥିବା ବିକଳ୍ପ ଜନିଷ ବାହାର କରିବାକୁ ହେବ। ସେହିପରି ନିର୍ମାଣ କାମରେ ସମୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା ସରକାର ଠିକ ସମୟରେ ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଟେକ୍ନୋଲଜି ଓ ସମ୍ବଳ ଠାରୁ ସମୟ ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ।”
ସରକାରଙ୍କ ସଫଳତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନ ସହ ଗଡ଼କରୀଙ୍କ ବୟାନ ଆଦୌ ମେଳ ଖାଉନାହିଁ। ସରକାର ଅମୃତ କାଳରେ ଅନେକ ସଫଳତା ଠିକଣା ସମୟରେ ହାସଲ କରିଥିବା ମୋଦି କହିଥିଲେ। ହେଲେ ଗଡ଼କରୀ ଠିକଣା ସମୟରେ ସରକାର ନିଷ୍ପତ୍ତି ନେଉ ନଥିବା କହିଛନ୍ତି। ତେବେ ଗଡ଼କାରୀଙ୍କ ବୟାନ କୌଣସି ନିର୍ଦ୍ଦିଷ୍ଟ ସରକାର ନୁହେଁ ବରଂ ସେ ସାଧାରଣ ଭାବେ ସରକାରଙ୍କ କଥା କହି ପ୍ରସଙ୍ଗକୁ ବିଜେପି ନେତାମାନେ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି।
ଗତ ସପ୍ତାହରେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇଥିବା ବେଳେ ଗଡ଼କରୀ ଏଥିରେ ସ୍ଥାନ ପାଇ ନଥିଲେ। ଗଡ଼କରୀ ବିଜେପିର ସଭାପତି ଭାବେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି। ସବୁବେଳେ ସେ ଦଳର ସଂସଦୀୟ ବୋର୍ଡର ସଦସ୍ୟ ଭାବେ ରହି ଆସୁଥିଲେ। କିନ୍ତୁ ତାଙ୍କୁ ଏଥର ଏହି ବୋର୍ଡରୁ ବିଦା କରାଯିବା ସମସ୍ତଙ୍କୁ ଚକିତ କରିଛି।
ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗଡ଼କରୀ ନାଗପୁରର ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ, ଏବେ ରାଜନୀତି କେବଳ କ୍ଷମତା ପାଇଁ କରାଯାଉଛି। ତେଣୁ ସେ ବେଳେବେଳେ ରାଜନୀତି ଛାଡ଼ିବାକୁ ଭାବୁଛନ୍ତି। ଏହାବାଦ ଅଟଳ ବିହାରୀ ବାଜପେୟୀ, ଏଲକେ ଆଡଭାନୀ ଓ ଦୀନ ଦୟାଲ ଉପାଧ୍ୟାୟଙ୍କ ପାଇଁ ଆଜି ବିଜେପିର କ୍ଷମତା ବୃଦ୍ଧି ପାଇଥିବା ମଧ୍ୟ ଗଡ଼କରୀ କହିବାକୁ ପଛାଇ ନଥିଲେ।

nis-ad
Leave A Reply

Your email address will not be published.