ସିସୋଦିଆ ଭାଙ୍ଗ ଖାଇଦେଇଛନ୍ତି କି ? ଆପ୍ ଭାଙ୍ଗିବା ପ୍ରସ୍ତାବ ଦାବିକୁ ନେଇ ବିଜେପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦାବିକୁ ଖଣ୍ଡନ କଲା ବିଜେପି। ଆପକୁ ଭାଙ୍ଗି ଆମ ସହ ସାମିଲ ହୁଅ। ସିବିଆଇ-ଇଡି ମାମଲା ବନ୍ଦ କରିଦେବୁ ବୋଲି ବ‌ିଜେପି ମୋତେ ପ୍ରସ୍ତାବ ଦେଇଥିବା କହିଥିଲେ ସିସୋଦିଆ। ଏବେ ଏହାକୁ ଖଣ୍ଡନ କରି ସିସୋଦିଆ ଭାଙ୍ଗ ଖାଇଦେଇଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେପି।
ମନୀଷ ସିସୋଦିଆଙ୍କ ଦାବି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ପରବେଶ ବର୍ମା କହିଛନ୍ତି, “ମନୀଷ ସିସୋଦିଆ ପ୍ରତିଦିନ ସକାଳେ ‘ପ୍ରାଣାୟାମ’ କରିବା ଉଚିତ୍। ସେ ଭାଙ୍ଗ ଖାଇଛନ୍ତି କି ? ଏଭଳି ଦାବି କରିବା ପୂର୍ବରୁ ତାଙ୍କୁ ବିଜେପିରେ ଯୋଗଦେବାକୁ କହିଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିବା ଉଚିତ୍। ସେ ତାଙ୍କ ନାକ ଚଟାଣରେ ଘସିଲେ ବି ବିଜେପି ତାଙ୍କୁ ଗ୍ରହଣ କରିବ ନାହିଁ। ”
ମନୀଷ ସିସୋଦିଆ ଏହା ପୂର୍ବରୁ ଟୁଇଟ୍ କରି କହିଥିଲେ ଯେ, “ମୁଁ ବିଜେପି ପକ୍ଷରୁ ଏକ ପ୍ରସ୍ତାବ ପାଇଛି। ଆପକୁ ଭାଙ୍ଗି ବିଜେପିରେ ଯୋଗଦେଲେ ସମସ୍ତ ସିବିଆଇ ଇଡି ମାମଲା ବନ୍ଦ ହୋଇଯିବ ବୋଲି ମୋତେ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଜେପିକୁ ମୋର ଉତ୍ତର- ‘‘ମୁଁ ରାଜପୁତ, ମହାରାଣା ପ୍ରତାପଙ୍କ ବଂଶଧର। ମୋର ମୁଣ୍ଡ କଟିଗଲେ ବି ଦୁର୍ନୀତିଗ୍ରସ୍ତ-ଷଡଯନ୍ତ୍ରକାରୀଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ।’’
ଅନ୍ୟ ଏକ ଟ୍ବିଟରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ଦେଉଥିବା ଦାବି କରି ସେ ଲେଖିଥିଲେ- ‘‘ଅରବିନ୍ଦ କେଜ୍ରିୱାଲ ମୋର ରାଜନୈତିକ ଗୁରୁ। ମୁଁ ତାଙ୍କ ପ୍ରତି କେବେ ବିଶ୍ୱାସଘାତକତା କରିବି ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଆସି ନାହିଁ, ମୋର ସ୍ୱପ୍ନ ହେଉଛି – ଦେଶର ପ୍ରତ୍ୟେକ ପିଲା ଭଲ ଶିକ୍ଷା ପାଇବା ଉଚିତ, କେବଳ ସେତେବେଳେ ଭାରତ ୧ନଂ ଦେଶ ହେବ। କେବଳ କେଜ୍ରିୱାଲଜୀ ଏହି କାମ ସମଗ୍ର ଦେଶରେ କରିପାରିବେ।’’

nis-ad
Leave A Reply

Your email address will not be published.