ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା

ବ୍ରହ୍ମପୁର : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା । ମୃତକ ହେଲେ ୧୨ ବର୍ଷିୟା ଏସ.ଅଭିରାମ । ଗଞ୍ଜାମ ଜିଲ୍ଲା ବଡ ଆର୍ଯ୍ୟପଲ୍ଲୀର ଏସ.ବାଲାରାଜୁଙ୍କ ୧୦ ବର୍ଷିୟା ପୁଅ ଏସ.ଅଭିରାମଙ୍କୁ ଝାଡା ହେବା ଫଳରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପ୍ରଥମେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଅଭିରାମଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାତିରେ ଚିକିତ୍ସା ହେବା ପରେ ଅଭିରାମଙ୍କ ସ୍ବାସ୍ଥ୍ୟ ଠିକ ହୋଇଥିଲା । କିନ୍ତୁ ଆଜି ସକାଳ ହଠାତ ଅଭିରାମଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳାକୁ ନେଇ ଅଭିରାମଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ଶିଶୁରୋଗ ବିଭାଗରେ ଚାପା ଉତ୍ତେଜନା ଦେଖାଦେଇଥିଲା । ତେବେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ କେହି ବରିଷ୍ଠ ଡ଼ାକ୍ତର ଶିଶୁରୋଗ ବିଭାଗକୁ ଆସିନଥିଲେ । କେବଳ କନିଷ୍ଠ ଡାକ୍ତର ମାନେ ଚିକିତ୍ସା କରୁଥିବା ବେଳେ ସମ୍ପୂର୍ଣ୍ଣ ଅବହେଳା କରିଥିଲେ । ଯାହାଫଳରେ ଅଭିରାମଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଭିରାମଙ୍କ ପରିବାର ଲୋକେ । ଏହାସହିତ କନିଷ୍ଠ ଡାକ୍ତର ମାନେ ଫୋନ ଯୋଗେ ବରିଷ୍ଠ ଡ଼ାକ୍ତର ମାନଙ୍କୁ ପଚାରି ଚିକିତ୍ସା କରୁଥିଲେ ଅଭିରାମଙ୍କୁ । ଯାହାଫଳରେ ଅଭିରାମଙ୍କୁ ଉଚିତ ଚିକିତ୍ସା ସେବା ଏମକେସିଜି ମେଡିକାଲ ପକ୍ଷରୁ ଯୋଗାଇ ଦିଆଯାଇନଥିଲା । ଅଭିରାମଙ୍କ ମୃତ୍ୟୁ କନିଷ୍ଠ ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ହିଁ ହୋଇଛି । ତେଣୁ ଯେଉଁ ଡାକ୍ତର ମାନେ ଚିକିତ୍ସାରେ ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଭିରାମଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ବଡ ଆର୍ଯ୍ୟପଲ୍ଲୀ ବାସିନ୍ଦା ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.