ନିୟମ ଭାଙ୍ଗି ବାରିମୂଳ ଆଶ୍ରମରେ ପୂଜା କଲେ ସାରଥୀ ଭକ୍ତ

କେନ୍ଦ୍ରାପଡା: ଆତ୍ମଘୋଷିତ ବାବା ସାରଥୀଙ୍କୁ ଭୁଲି ପାରୁ ନାହାନ୍ତି ତାଙ୍କ ଭକ୍ତ। ଜନ୍ମାଷ୍ଟମୀ ସମୟରେ ସାରଥୀଙ୍କ ଆଣ୍ଠୁଅ ଗୋପାଳ ବେଶକୁ ଭାରି ମନେ ପକାଉଛନ୍ତି। ତେଣୁ ଅଦାଲତଙ୍କ ପକ୍ଷରୁ ସମସ୍ତ ବାରଣ ସତ୍ତ୍ଵେ କେନ୍ଦ୍ରାପଡା ସହର ଉପକଣ୍ଠ ବାରିମୂଳର ବହୁ ଚର୍ଚ୍ଚିତ ସାରଥି ଆଶ୍ରମକୁ ଶୁକ୍ରବାର ଜବରଦସ୍ତି କବଜା କରିଛନ୍ତି ତାଙ୍କ ଭକ୍ତ, ଅନୁଗତ, ସମର୍ଥକ ।

ଆଶ୍ରମରେ ଆତ୍ମଘୋଷିତ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି। ଭୋଗ ଅର୍ପଣ କରି ସମର୍ଥକଙ୍କ ମଧ୍ୟରେ ବାଣ୍ଟିଛନ୍ତି। ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ଅବସରରେ ସେମାନେ ଆଶ୍ରମରେ ହୋମ ବି କରିଛନ୍ତି।

ଅଦାଲତଙ୍କ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଶ୍ରମର ସଂପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି ନାହିଁ। ଏହା ସତ୍ତ୍ବେ ଆଶ୍ରମ ଭିତରକୁ ୪୦ରୁ ୫୦ ଜଣ ସାରଥି ଭକ୍ତ ଏବଂ ସମର୍ଥକ କେମିତି ପ୍ରବେଶ କଲେ, ସେଠି ସାରଥିଙ୍କ ଫଟୋ ରଖି କେମିତି ପୂଜା କଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଶୁକ୍ରବାର ନନ୍ଦୋତ୍ସବ ଥିବାରୁ ଆଶ୍ରମର ଗ୍ରାମ ପାଖକୁ ଲାଗିଥିବା ଫାଟକ ଦେଇ ସାରଥିଙ୍କର କେତେ ଜଣ ଭକ୍ତ, ସମର୍ଥକ ହଠାତ୍ ସଂଘବଦ୍ଧ ହୋଇ ଭିତରକୁ ପଶିଥିଲେ। ପରେ ଭିତର ପଟୁ ଫାଟକ କିଳିଦେଇ ଆଶ୍ରମ ପରିସରରେ ଥିବା ମନ୍ଦିର ମଧ୍ୟରେ ସାରଥିଙ୍କ ପୂଜାର୍ଚ୍ଚନା କରିଥିଲେ। ଏପରିକି ପୂଜାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ। ଏକଥା ଜଣା ପଡିବା ପରେ ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରିଛନ୍ତି।

ଏନେଇ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। କେନ୍ଦ୍ରାପଡା ସଦର ଥାନା ଇନ୍ସପେକ୍ଟର ପବିତ୍ର ମହାରଣା କହିଛନ୍ତି, ଥାନାରେ ଏ ସଂପର୍କରେ କୌଣସି ଅଭିଯୋଗ ହୋଇ ନାହିଁ। ତେବେ ସେ ଘଟଣା ବିଷୟରେ ଅବଗତ ହେଲେଣି, ଆଇନତଃ ଯାହା ଠିକ୍ ସେ ନେଇ ପଦକ୍ଷେପ ନିଆଯିବ।

nis-ad
Leave A Reply

Your email address will not be published.