କଟକରେ ଡେଙ୍ଗୁ ଜ୍ୱରରେ ଯୁବକଙ୍କ ମୃତ୍ୟୁ

କଟକ: ଡେଙ୍ଗୁରେ ପୀଡ଼ିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଟକ ପୌର ନିଗମରେ ଚଳିତ ବର୍ଷ ଏହା ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ହୋଇଛି । ୨୦୨୨ ଜାନୁଆରୀରୁ ଜୁଲାଇ ମାସ ମଧ୍ୟରେ ଜିଲ୍ଲାରେ ମୋଟ୍ ୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଏସସିବି ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ଗୁରୁବାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମୃତକ କଟକ ପୌର ନିଗମ ୨୬ ନଂ ୱାର୍ଡରେ ଥିବା ଭଗତପୁରର ବାସିନ୍ଦା ଦୀପକ କୁମାର ମୁଦୁଲି ବୋଲି ଜଣାପଡ଼ିଛି। ଦୀପକଙ୍କୁ ଜ୍ୱର ହେବାରୁ ଚଳିତ ମାସ ୧୪ ତାରିଖରେ ତାଙ୍କୁ ହରିପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ଡେଙ୍ଗୁ ସହ କରୋନା ପରୀକ୍ଷା କରାଯାଇଥିଲା । ପରେ ତାଙ୍କର ଡେଙ୍ଗୁ ହୋଇଥିବା ରିପୋର୍ଟରୁ ଜଣାପଡ଼଼ିଥିଲା । ମାତ୍ର ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ଗତ ୧୭ ତାରିଖ ବୁଧବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଡେଙ୍ଗୁ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ପୌର ନିଗମ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ବଢାଇବାକୁ ସାଧାରଣରେ ଦାବି ହୋଇଛି ।

nis-ad
Leave A Reply

Your email address will not be published.