ଅବକାରୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତିନିମାସରେ ୧୪,୬୮୮ ଗିରଫ ୫୮୩ ଏନ୍‍ଡିପିଏସ୍‍ ମାମଲା ରୁଜୁ : ୭୬୫ ଗାଡିମୋଟର ଜବତ

ଭୁବନେଶ୍ୱର ୧୭/୮ : ଜୋରଦାର ଅବକାରୀ ଚଢଉ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୧୪,୬୮୮ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି, ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୭୦ ପ୍ରତିଶତରୁ ଅଧିକ ରହିଛି । ସେହିଭଳି ଏହି ତିନିମାସ ସମୟ ମଧ୍ୟରେ ଅବକାରୀ ଚଢଉ ଯୋଗୁଁ ୫୮୩ ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଛି । ୧୮,୧୪୫ଟି ମାମଲା ରୁଜୁ ହୋଇଛି ଯାହାକି ପୂର୍ବବର୍ଷର ଏହି ସମୟ ତୁଳନାରେ ୭୨ ପ୍ରତିଶତରୁ ଅଧିକ । ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି ବିଭାଗର ଧରପଗଡ ଓ ଅନ୍ୟାନ୍ୟ କାର୍ଯ୍ୟ ସଂକ୍ରାନ୍ତରେ କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ଅବକାରୀ କମିଶନରଙ୍କ ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ବିଭାଗର ଯୁଗ୍ମ କମିଶନର, ଇଡିସି, ସମସ୍ତ ସୁପରିଟେଣ୍ଡେଣ୍ଟ ପ୍ରମୁଖ ଯୋଗ ଦେଇଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍‍ ମଇ ରୁ ଜୁଲାଇ ମାସ ମଧ୍ୟରେ ଅବକାରୀ ଧରପଗଡ ଜୋରଦାର ଯୋଗୁଁ ୧୮,୧୪୫ ମାମଲା ରୁଜୁ ସହିତ ୧୪,୬୮୮ ଜଣ ଗିରଫ ହୋଇଛନ୍ତି । ସେହିଭଳି ଏହି ସମୟରେ ୫,୩୧,୩୮୯ ଲିଟର କାରଖାନା ତିଆରି ଦେଶୀ ମଦ, ୬୦,୩୯,୬୮୦ ଲିଟର ମଦ ପ୍ରସ୍ତୁତ ସାମଗ୍ରୀ, ୧୦,୯୩୦ ବୋତଲ ବିୟର, ୫୬୫୭ କିଲୋ ଭାଙ୍ଗ, ୪୧୭୭ ଲିଟର ଦେଶୀ ମଦ, ୯୪୨୪ ଲିଟର ମହୁଲି ମଦ ଓ ୮୧ ଲିଟର ଟିକସ ଫାଙ୍କି ବିଦେଶୀ ମଦ ଜବତ ହୋଇଛି । ଏଥି ସହିତ ୭୬୫ଟି ବିଭିନ୍ନ କିସମର ଗାଡିମୋଟରକୁ ଅବକାରୀ ଅଧିକାରୀମାନେ ଜବତ କରିଛନ୍ତି । ଗତବର୍ଷ ଏହି ସମୟରେ ୬୫୯ଟି ଗାଡିମୋଟର ଜବତ ହୋଇଥିଲା । ତେବେ ଏହି ତିନିମାସ ମଧ୍ୟରେ ଜବତ ବିୟରର ପରିମାଣ ଗତବର୍ଷର ଏହି ସମୟ ତୁଳନାରେ ହ୍ରାସ ପାଇଥିବାବେଳେ କାରଖାନା ତିଆରି ଦେଶୀ ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀର ପରିମାଣ ୧୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଭାଙ୍ଗ ଜବତ ପରିମାଣ ଗତବର୍ଷ ତୁଳନାରେ ୩୫୦ ପ୍ରତିାତ ବଢିଥିବା ଜଣାଯାଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଏନ୍‍ଡିପିଏସ୍‍ ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢିଛି । ନିଶା କାରବାର ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ଚଢଉ ଜୋରଦାର ଫଳରେ ତିନିମାସରେ ୫୮୩ଟି ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଛି ଯାହାକି ପୂର୍ବବର୍ଷର ଏହି ସମୟ ତୁଳନାରେ ୨୩୫ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷର ମଇ ରୁ ଜୁଲାଇ ମଧ୍ୟରେ ମାତ୍ର ୧୭୪ଟି ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଥିଲା । ସେହିଭଳି ଗିରଫଦାରୀ ସଂଖ୍ୟା ୬୬୬ ରହିଛି ଯାହାକି ପୂର୍ବବର୍ଷ ତୁଳନାରେ ୨୦୮ ପ୍ରତିଶତ ଅଧିକ । ଗତବର୍ଷ ଏହି ସମୟରେ ଏନଡିପିଏସ୍‍ ମାମଲାରେ ୨୧୬ଜଣ ଗିରଫ ହୋଇଥିଲେ । ଚଳିତବର୍ଷ ମଇରୁ ଜୁଲାଇ ମଧ୍ୟରେ ଅବକାରୀ ବିଭାଗ ୧୨,୭୧୦ କିଲୋ ଗଞ୍ଜେଇ, ୬୨୧୪ ଗ୍ରାମ ବ୍ରାଉନସୁଗାର ଓ ୩୨୦ ଲିଟର କଫ ସିରପ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ୬୪ କୋଟି ଟଙ୍କା ଆକଳନ କରାଯାଇଛି ଯାହାକି ଗତବର୍ଷ ତୁଳନାରେ ୨୬୦ ପ୍ରତିଶତ ପ୍ରତି ଅଧିକ । ଗତବର୍ଷ ଏହି ସମୟରେ ୧୭କୋଟି ୮୨ଲକ୍ଷ ଟଙ୍କାର ଏନ୍‍ଡିପିଏସ୍‍ ସାମଗ୍ରୀ ଜବତ ହୋଇଥିଲା । ସମୀକ୍ଷା ସମୟରେ ଅବକାରୀ କମିଶନର ଶ୍ରୀ ସିଂହ ଓକାକ ସହାୟତାରେ ଗତ ୧୦ ବର୍ଷର ଅବକାରୀ ମାମଲାଗୁଡିକର ହେଉଥିବା ଡିଜିଟାଇଜେସନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ । ଏହା ପ୍ରସ୍ତୁତ ହେଲେ ଆଗାମୀ ଦିନରେ ଅବକାରୀ ମାମଲା ପରିଚାଳନା ସହିତ ଚଢଉ ଏବଂ ଏଥି ସହିତ ଜଡିତ ଲୋକଙ୍କୁ ସହଜରେ ଠାବ କରାଯାଇ ପାରିବ । ସେହିଭଳି କମିଶନର ଶ୍ରୀ ସିଂହ ମଧ୍ୟ ପ୍ରତି ମାସରେ ଅବକାରୀ ଅଧିକାରୀମାନଙ୍କର ତାଲିମ ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ଏଏସ୍‍ଆଇ ଓ କନେଷ୍ଟବଳମାନଙ୍କୁ ଚଢଉ ଓ ମାମଲା ପରିଚାଳନା ସଂକ୍ରାନ୍ତରେ ଅଧିକ ତାଲିମ ପ୍ରଦାନ କରାଯାଉଛି । ସମୀକ୍ଷା ସମୟରେ ଅବକାରୀ ଅଧିକାରୀମାନଙ୍କର କାର୍ଯ୍ୟଶୈଳୀକୁ ନେଇ କମିଶନର ଶ୍ରୀ ସିଂହ ସନ୍ତୋଷ ପ୍ରକଟ କରିବା ଦିନରେ ଆଗାମୀ ଦିନରେ ନିୟମିତ ଚଢାଉ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.