ଜାତୀୟ ରାଜପଥ ସହର ଉପରେ ଅଣ୍ଡର ପାସ୍ ଓ ଓଭରବ୍ରିଜ୍ ନିର୍ମାଣକୁ ନେଇ ତେଜିଲା ଦାବୀ

.ବ୍ରହ୍ମପୁର : ଆସନ୍ତା ୧୯ ତାରିଖରେ ଜଗନ୍ନାଥପୁର ଜଙ୍କସନ୍ ଠାରେ ରାସ୍ତାରୋକ କରିବ କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓପିସିସି ସଂପାଦକ ଡ. ଶମ୍ବୁ ପାଣିଗ୍ରାହୀ । ଇଛାପୁର ଠାରୁ କୁଇନ୍ତଳା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଭାରତ ସରକାର ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଓଣ୍ଡର ପାସ୍ ଓ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ଏଯାବତ୍ ତାହା ସଂପୂର୍ଣ୍ଣ ହୋଇପାରିନାହିଁ । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ସହରର ସମସ୍ତ ଅଚଂଳରେ ଆବଶ୍ୟକତା ଅନୁସାରେ ଓଣ୍ଡର ପାସ୍ ଓ ଓଭରବ୍ରିଜ୍ ନିର୍ମାଣ ହୋଇଥିଲେ ମଧ୍ୟ ସରକାର ଏହି ପ୍ୟାକେଜକୁ କାର୍ଯ୍ୟକାରୀ କରିନାହାଁନ୍ତି । ଗଂଜାମ ଜିଲ୍ଲାର ରଣ୍ଢା, କନିସି, ହଳଦିଆପଦର, ସୁରଳ, ଲାଞ୍ଜିପଲ୍ଲୀ ଛକ, ଜଗନ୍ନାଥପୁର ଛକ, ମାଣ୍ଡିଆପଲ୍ଲୀ ଛକ, ଅନନ୍ତପୁର, ଚମାଖଣ୍ଡି, କାଳିଆବାଲି ଛକ, ଛତ୍ରପୁର ଡ଼ିଆରଡ଼ିଏ ଛକ, ଆଇଆରଇ ଛକ, ଛତ୍ରପୁର କଲେଜ ଛକ, ଗ୍ରାସିମ୍ କେମିକାଲ୍ ଡ଼ିଭିଜନ୍ ଛକ, ଆଦି ଅଚଂଳ ଦୁର୍ଘଟଣାଗ୍ରସ୍ତ ସ୍ଥାନ ଭାବେ ଚିହ୍ନଟ କରାଯାଇଥିବା ବେଳେ ଏହି ଅଚଂଳରେ ଓଭରବ୍ରିଜ ଏବଂ ଅଣ୍ଡରପାସ୍‌ର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଏହି ଛକ ଗୁଡ଼ିକରେ ବହୁ ସମୟରେ ଦୁର୍ଘଟଣା ଘଟି ଅକାଳରେ ବହୁ ନିରୀହ ଜୀବନ ନଷ୍ଟ ହେଉଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅଚଂଳକୁ ସୁରକ୍ଷିତ ରଖିବା ବ୍ୟବସ୍ଥା ଆବଶ୍ୟକ ବୋଲି ଓପିସିସି ସଂପାଦକ ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି । ବହୁ ନୀରିହ ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ଏଥି ପ୍ରତି ନା ସରକାର ନା କୌଣସି ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବ ରହିଛି । ଏନେଇ ୨୦୨୦ ମସିହାରୁ ବିଭାଗୀୟ ମନ୍ତ୍ରୀ, ଓଡ଼ିଶା ଶାସନ ସଚିବ, ଜିଲ୍ଲାପାଳ, ଏସ୍‌ପିଙ୍କୁ ଚିିଠି ଏବଂ ଇମେଲ୍ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ଅତ୍ୟାବିଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଥି ସହ ଏନ୍‌ଏଚ୍ ବିଭାଗ ପକ୍ଷରୁ ହଳଦିଆପଦର, କନିସି, ପଚଂମା, ରଣ୍ଢା, ସୁରଳ, ରାଳବ ଆଦି ଅଚଂଳରେ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଜୋରଜବଦସ୍ତ ବନ୍ଦ କରାଯାଇଛି । ଫଳରେ ସ୍ଥାନୀୟ ଅଚଂଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଆନ୍ଦୋଳନ ଜୋରଦାର୍ କରିବା ସହ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୧୯ ତାରିଖରେ ମଧ୍ୟାହ୍ନ ୧୨ ଟା ଠାରୁ ୨ ଟା ପର୍ଯ୍ୟନ୍ତ ଜଗନ୍ନାଥପୁର ତଥା ପୋଖରୀ ବନ୍ଧ ଛକ ଠାରେ ରାଜରାସ୍ତାକୁ ଅବରୋଧ କରି ବ୍ୟାପକ ଆନ୍ଦୋଳନ କରାଯିବ । ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଚାଂନନ କାନୁନଗୋ, ପ୍ରଦେଶ କମିଟି ମୁଖପାତ୍ର ଅମୀୟ ପାଣ୍ଡବ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ୍ ଦାସ, ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଆନ୍ଦୋଳନ ମାଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାପ ପ୍ରୟୋଗ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ପିତବାସ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦଳ, ମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସମସ୍ତ ଜନସାଧାରଣ ଏଥିରେ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିବେଦନ କରାଯାଇଛି ।

nis-ad
Leave A Reply

Your email address will not be published.