ଡିଭାଇଡର ଡେଇଁ କାର ଉପରେ ଓଲଟି ପଡ଼ିଲା ଟ୍ରକ୍‌, ଚାଲିଗଲା ୪ ଜଣଙ୍କ ଜୀବନ

ଗୁରୁଗ୍ରାମ: ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା କାର୍ ଉପରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁରୁତର ଆହତ ହୋଇଥିବା ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଭର୍ତ୍ତି କରାଯାଇଛି।
ଗୁରୁଗ୍ରାମ ଉପକଣ୍ଠରେ ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ଗୋଟିଏ କାରରେ ୨ ଜଣ ମହିଳା ଓ ଡ୍ରାଇଭରଙ୍କୁ ମିଶାଇ ୬ ଜଣ ଲୋକ ଉଦୟପୁରରୁ ନୋଏଡାକୁ ଫେରୁଥିଲେ। ଏହି ସମୟରେ ଉଦୟପୁର ଆଡ଼କୁ ଯାଉଥିବା ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ବିପରୀତ ଦିଗରୁ ଆସୁଥିବା କାର୍‌ ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣେ ମହିଳା, ୨ ଜଣ ପୁରୁଷ ଓ କାର ଚାଳକଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୁଲିସ୍ ସହ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କାରଟି ସଂପୂର୍ଣ୍ଣ ଚୂରମାର ହୋଇ ଯାଇଥିବାରୁ ମୃତାହତଙ୍କୁ ଏହା ମଧ୍ୟରୁ ବାହାର କରିବାକୁ ବେଶ କିଛି ଘଣ୍ଟା ଲାଗିଥିଲା।
ସେତେବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୨ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା। ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ଏଫଆଇଆର ରୁଜୁ ହୋଇଥିବା ବିଲାସପୁର ଷ୍ଟେସନ ହାଉସ ଅଫିସର ଅଜୟ ମଲିକ ସୂଚନା ଦେଇଛନ୍ତି। ମୃତାହତମାନେ ନୋଏଡାର ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ପୁଲିସ୍ କହିଛି।

nis-ad
Leave A Reply

Your email address will not be published.