ରୋହିଙ୍ଗ୍ୟାଙ୍କୁ ମିଳିବ କି ଘର? କେନ୍ଦ୍ରମନ୍ତ୍ରୀଙ୍କ ହଁ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନା

ନୂଆଦିଲ୍ଲୀ: ଭାରତରେ ଥିବା ରୋହିଙ୍ଗ୍ୟାମାନଙ୍କୁ କେନ୍ଦ୍ର ସରକାରର ଫ୍ଲାଟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ କରିବା ପରେ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ନାଁ ନେଇ ଏହି ଖବରକୁ ଖଣ୍ଡନ କରିଛି। ଏଥିସହ ଦିଲ୍ଲୀ ସରକାର ରୋହିଙ୍ଗ୍ୟାମାନଙ୍କୁ କୁଆଡ଼େ ଘର ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଭାରତ ସରକାର କହିଛନ୍ତି।
ଭାରତରେ ରହୁଥିବା ରୋହିଙ୍ଗ୍ୟାମାନଙ୍କୁ କେନ୍ଦ୍ର ସରକାର କୌଣସି ପ୍ରକାରର ଫ୍ଲାଟ ଦେବାର ଯୋଜନା ନଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଏଥିସହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ସେମାନଙ୍କ ଦେଶକୁ ନ ପଠାଇବା ଯାଏ ସମସ୍ତଙ୍କୁ ଅଟକ କେନ୍ଦ୍ରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଆହୁରି କହିଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀ ରହିଥିବା ସ୍ଥାନକୁ ଦିଲ୍ଲୀ ସରକାର ଅଟକ କେନ୍ଦ୍ର ଭାବେ ଘୋଷଣା କରି ନାହାନ୍ତି। ତେଣୁ ଦିଲ୍ଲୀ ସରକାର ତୁରନ୍ତ ଏ ସମ୍ପର୍କରେ ଘୋଷଣା କରନ୍ତୁ।
କେନ୍ଦ୍ର ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ରୋହିଙ୍ଗ୍ୟାମାନଙ୍କୁ ବାକ୍କରୱାଲାରେ ଥିବା ଆପାର୍ଟମେଣ୍ଟକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଓ ପୁଲିସ୍‌ ସେମାନଙ୍କ ସୁରକ୍ଷାରେ ରହିବ। ଭାରତ ସବୁବେଳେ ଏଠାରେ ଆଶ୍ରୟ ନେଉଥିବା ଲୋକଙ୍କୁ ସ୍ୱାଗତ କରିବ ବୋଲି କହିଥିଲେ। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବେ ଦିଲ୍ଲୀ ସରକାରଙ୍କ ଉପରେ ଦୋଷ ଲଦି କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରିଛି।
ବୁଧବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି “କିଛି ଗଣମାଧ୍ୟମରେ ରୋହିଙ୍ଗ୍ୟା ବେଆଇନ ବିଦେଶୀ ନାଗରିକଙ୍କୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ଉପରେ ମନ୍ତ୍ରଣାଳୟ ସ୍ପଷ୍ଟ କରିବାକୁ ଚାହେଁ ଯେ କେନ୍ଦ୍ର ସରକାର ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ କୌଣସି ପ୍ରକାରର ଫ୍ଲାଟ ଦେବାକୁ ନିର୍ଦ୍ଦେଶ ଦେଇ ନାହାନ୍ତି।
ଦିଲ୍ଲୀର ବାକ୍କରୱାଲା ଠାରେ ସେମାନଙ୍କୁ ଫ୍ଲାଟ ମିଳିବା କଥାରେ କୌଣସି ସତ୍ୟତା ନାହିଁ।” ଏକାଧିକ ଟ୍ୱିଟରେ କେନ୍ଦ୍ର ସରକାର ରୋହିଙ୍ଗ୍ୟାମାନଙ୍କୁ ନୂଆ ଠିକଣାକୁ ସ୍ଥାନାନ୍ତର କରିବାର କୌଣସି ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି। ଏଥିସହ ସେମାନଙ୍କ ପ୍ରତ୍ୟର୍ପଣ ନ ହେବା ଯାଏ ସମସ୍ତଙ୍କୁ ଅଟକ କେନ୍ଦ୍ରରେ ରଖିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରଣାଳୟ କହିଛି, “ରୋହିଙ୍ଗ୍ୟାମାନଙ୍କୁ ନୂଆ ସ୍ଥାନକୁ ନେବା ପାଇଁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରୋହିଙ୍ଗ୍ୟାମାନଙ୍କୁ ପୂର୍ବଭଳି ସେମାନଙ୍କ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛି। କାରଣ ମନ୍ତ୍ରଣାଳୟ ସେମାନଙ୍କ ପ୍ରତ୍ୟର୍ପଣ ପାଇଁ ସଂପୃକ୍ତ ଦେଶଗୁଡ଼ିକ ସହ ଆଲୋଚନା କରୁଛି।
ଆଇନ ଅନୁସାରେ ପ୍ରତ୍ୟର୍ପଣ କାମ ଶେଷ ନ ହେବା ଯାଏ ବେଆଇନ ବିଦେଶୀମାନେ ଅଟକ କେନ୍ଦ୍ରରେ ରହିବେ। ଦିଲ୍ଲୀ ସରକାର ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନକୁ ଅଟକ କେନ୍ଦ୍ର ଭାବେ ଘୋଷଣା କରିନାହିଁ। ସେମାନଙ୍କୁ ତୁରନ୍ତ ଏପରି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଉଛି।”

nis-ad
Leave A Reply

Your email address will not be published.