ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିବା ୧୧ ଜଣଙ୍କୁ ଛାଡ଼ିଦେଲେ ଗୁଜରାଟ ସରକାର

ଅହମଦାବାଦ: କେନ୍ଦ୍ର ଓ ଗୁଜରାଟରେ ବିଜେପି ସରକାର ଚଳାଉଛି। ହେଲେ ଦୁଇ ସରକାର ଦୁଷ୍କର୍ମକାରୀଙ୍କ ବିରୋଧରେ ଭିନ୍ନଭିନ୍ନ ଆଭିମୁଖ୍ୟ ଦେଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ର ସରକାର ସବୁବେଳେ ଦୁଷ୍କର୍ମକାରୀଙ୍କ ମୁକ୍ତି ବିରୋଧରେ ଥିବା ବେଳେ ଗୁଜରାଟର ବିଜେପି ସରକାରଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ବିଲକିସ୍‌ ବାନୋ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ପାଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ଜେଲରୁ ଖଲାସ କରିଛନ୍ତି। ଏମାନେ ୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ଏପରି ଭୟଙ୍କର କାଣ୍ଡ ଘଟାଇଥିଲେ।
ଚଳିତ ବର୍ଷ ଜୁନ୍‌ ମାସରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଜୀବନ କାଟୁଥିବା କଏଦୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା ଲାଗୁ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରମାନେ ଏହି ଯୋଜନା ଅନୁସାରେ କିଛି କଏଦୀଙ୍କୁ ମୁକ୍ତ କରିପାରିବେ। ହେଲେ ଦୁଷ୍କର୍ମକାରୀଙ୍କୁ ଏହି ଯୋଜନାର ଫାଇଦା ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଥିଲେ।
ଏହାର ଅର୍ଥ ବିଲକିସ୍‌ ବାନୋଙ୍କ ମାମଲାରେ ମଧ୍ୟ ଏହି ଯୋଜନା ଲାଗୁ ହେବା କଥା ନୁହେଁ। ତେବେ ଜଣେ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ଛୋଟ ଝିଅଙ୍କ ସମେତ ପରିବାର ଲୋକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଜେଲରୁ ଖଲାସ କରିବା ପାଇଁ ଗୁଜରାଟ ସରକାର ମେ’ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜସ୍ୱ ଗାଇଡଲାଇନ ଜାରି କରିଛନ୍ତି।
କିନ୍ତୁ ଏପରି ଗାଇଡଲାଇନ କେନ୍ଦ୍ର ସରକାର ଜାରି କରିଥିବା ନିୟମର ଉଲ୍ଲଙ୍ଘନ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବସାଇଟ୍‌ରେ ଉଲ୍ଲେଖ ଥିବା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ନୀତିର ପୃଷ୍ଠା ୪ର ୫ନଂ ପଏଣ୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଆଜୀବନ ଜେଲଦଣ୍ଡ ଭୋଗୁଥିବା କୌଣସି ବି କଏଦୀଙ୍କୁ ଖଲାସ କରାଯିବ ନାହିଁ। ଏହି ନିୟମ ଅନୁସାରେ ମଧ୍ୟ ବିଲକିସ୍‌ ବାନୋଙ୍କ ଘଟଣାର ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଛଡ଼ା ଯିବା କଥା ନୁହେଁ।
୨୧ ବର୍ଷୀୟ ବିଲକିସ୍‌ ବାନୋ ୫ ମାସର ଗର୍ଭବତୀ ଥିଲେ। ୨୦୦୨ ମସିହା ମାର୍ଚ୍ଚ ୩ରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ବାନୋଙ୍କ ଛୋଟ ଝିଅଙ୍କ ସମେତ ପରିବାରର ଅନ୍ୟ ୬ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦଙ୍ଗା ଯୋଗୁ ପରିବାର ଲୋକଙ୍କ ସହ ବିଲକିସ୍‌ ଅହମଦାବାଦରେ ଥିବା ଗୋଟିଏ କ୍ଷେତରେ ଲୁଚିଥିଲେ। ହେଲେ ତାଙ୍କୁ ଦଙ୍ଗାକାରୀମାନେ ଠାବ କରି ନେଇଥିଲେ।
୨୦୦୯ରେ ମୁମ୍ବାଇରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ। ଏବେ ଗୁଜରାଟ ସରକାର ସମସ୍ତଙ୍କୁ ସ୍ୱତନ୍ତ୍ର ଗାଇଡଲାଇନ ବଳରେ ଜେଲରୁ ମୁକ୍ତି ଦେଇଛନ୍ତି। ସୋମବାର ୧୧ ଜଣ ଯାକ ବ୍ୟକ୍ତି ଗୋଧ୍ରା ଜେଲରୁ ବାହାରିବା ପରେ ତାଙ୍କୁ ମିଠା ଓ ଫୁଲ ଦେଇ ସମର୍ଥକମାନେ ସ୍ୱାଗତ କରିଥିଲେ।
ଏହି ଘଟଣା ପରେ ବିଲକିସ୍‌ ବାନୋଙ୍କ ସ୍ୱାମୀ ୟାକୁବ ରସୁଲ କହିଛନ୍ତି, “ଆମକୁ ଏ ବିଷୟରେ କିଛି ବି ଜଣାନାହିଁ। ଆମେ କେବଳ ଆମ ପ୍ରିୟଜନଙ୍କ ଆତ୍ମାର ଶାନ୍ତି କାମନା କରୁଛୁ। ଏ ବିଷୟରେ ମୁଁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି।” ଏବେ ରସୁଲ ପତ୍ନୀ ବିଲକିସ୍‌ ଓ ୫ ପିଲାଙ୍କ ସହ ରହୁଛନ୍ତି।

nis-ad
Leave A Reply

Your email address will not be published.