ଗୁଜରାଟରୁ ଧରା ହେଲା ୧୦୨୬ କୋଟିର ଡ୍ରଗ୍ସ

ମୁମ୍ବାଇ: ପୁଣିଥରେ ଗୁଜରାଟରୁ ଜବତ ହୋଇଛି ବିପୁଳ ପରିମାଣର ନିଶା ଦ୍ରବ୍ୟ। ମୁମ୍ବାଇ ପୁଲିସ୍‌ର ନାର୍କୋଟିକ୍ସ ସେଲର ଗୋଟିଏ ଟିମ୍‌ ଗୁଜରାଟର ଅଙ୍କେଲଶ୍ୱରରେ ରେଟ କରି ଜବତ କରିଛି ୧୦୨୬ କୋଟି ଟଙ୍କାର ଡ୍ରଗ୍ସ। ଏଠାରେ ଥିବା ଗୋଟିଏ ଔଷଧ ତିଆରି ୟୁନିଟରେ ନିଷିଦ୍ଧ ହୋଇଥିବା ମେଫ୍ରେଡ୍ରୋନ ପ୍ରସ୍ତୁତ କରାଯାଉଥିଲା।
ମେଫ୍ରେଡ୍ରୋନର ବଜାର ନାଁଗୁଡ଼ିକ ହେଉଛି ମିଓ ମିଓ ଓ ଏମ୍‌ଡି। ଏହା ଏକ ସିନ୍ଥେଟିକ୍ ଷ୍ଟିମୁଲାଣ୍ଟ (ସ୍ନାୟବିକ ଉତ୍ତେଜନା ସୃଷ୍ଟି କରୁଥିବା ଉପାଦାନ) ଓ ମାନସିକ ପ୍ରକ୍ରିୟାକୁ ବି ଏହା ପ୍ରଭାବିତ କରେ। ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ୍ ସାଇକୋଟ୍ରପିକ୍ ସବ୍‌ଷ୍ଟାନ୍ସେସ୍ (ଏନ୍‌ଡିପିଏସ୍‌) ଆକ୍ଟ ଅନୁସାରେ ଏହି ଔଷଧକୁ ନିଷିଦ୍ଧ କରାଯାଇଛି। ତଥାପି ମେଫ୍ରେଡ୍ରୋନକୁ ଗୁଜରାଟର ଅଙ୍କେଲଶ୍ୱର ଠାରେ ଥିବା ୟୁନିଟରେ ତିଆରି କରି ବଜାରକୁ ଛଡ଼ା ଯାଉଥିଲା।
ମୁମ୍ବାଇ ପୁଲିସ୍‌ କହିଛି ଯେ ରେଡ୍‌ ବେଳେ ମୋଟ ୫୧୩ କେଜି ଓଜନର ମେଫ୍ରେଡ୍ରୋନ ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୧୦୨୬ କୋଟି ଟଙ୍କା। ଏହି ଡ୍ରଗ୍ସ ଉତ୍ପାଦନ ୟୁନିଟର ମାଲିକ ହେଉଛନ୍ତି ଗିରିରାଜ ଦିକ୍ଷୀତ। ସେ କେମେଷ୍ଟ୍ରୀରେ ପୋଷ୍ଟ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେ ଡିଗ୍ରୀ ହାସଲ କରିବା ପରେ ଏଠାରେ ମେଫ୍ରେଡ୍ରୋନ ତିଆରି କାମରେ ଲାଗିଥିଲେ। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଗିରିରାଜ ଓ ତାଙ୍କର ଜଣେ ସହଯୋଗୀ ଲ୍ୟାବରେ ବିଭିନ୍ନ ପ୍ରକାରର ପରୀକ୍ଷା ନୀରିକ୍ଷା କରି ମେଫ୍ରେଡ୍ରୋନ ପ୍ରସ୍ତୁତର ଫର୍ମୁଲା ହାସଲ କରିଥିଲେ ବୋଲି ପୁଲିସ୍‌ କହିଛି।
ଜବତ ଡ୍ରଗ୍ସର ଲିଙ୍କ ନାଲାସୋପାରା ସହ ରହିଛି। ନିକଟରେ ଏଠାରେ ଥିବା ଗୋଟିଏ ଔଷଧ ତିଆରି ୟୁନିଟ ଉପରେ ମୁମ୍ବାଇ ପୁଲିସ୍‌ ରେଡ କରିଥିଲା। ଏହି ସମୟରେ ସେଠାରୁ ୭୦୦ କେଜି ଓଜନର ମେଫ୍ରେଡ୍ରୋନ ଜବତ କରାଯାଇଥିଲା। ଏହାର ବଜାର ମୂଲ୍ୟ ୧୪ଶହ କୋଟି। ପୁଲିସ୍‌ ବର୍ତ୍ତମାନ ସୁଦ୍ଧା ମୋଟ ୨୪୩୫ କୋଟି ଟଙ୍କାର ଡ୍ରଗ୍ସ ଜବତ କରି ସାରିଲାଣି। ଏଥିସହ ୧୨୧୮ କେଜି ମେଫ୍ରେଡ୍ରୋନ ଜବତ ଘଟଣାରେ ୭ ଜଣଙ୍କୁ ଗିରଫ ମଧ୍ୟ କରିଛି। ମାର୍ଚ୍ଚ ମାସରେ ପୁଲିସ୍‌ ମାତ୍ର ୨୫୦ ଗ୍ରାମ ଡ୍ରଗ୍ସ ଜବତ କରିଥିଲା। ଏହାର ତଦନ୍ତ କରିବା ବେଳେ ଏତେ ବଡ଼ ରାକେଟର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଛି।
ଅନ୍ୟପକ୍ଷରେ ଗୁଜରାଟରୁ ବାରମ୍ବାର ବିପୁଳ ପରିମାଣର ଡ୍ରଗ୍ସ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ରାଜ୍ୟରେ ଥିବା ମୁନ୍ଦ୍ରା ବନ୍ଦର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ ହେବାର ନଜିର ରହିଛି। ସେହିପରି ରାଜ୍ୟରେ ମେଫ୍ରେଡ୍ରୋନ ତିଆରି ଚାଲିଥିବା ବେଳେ ଗୁଜରାଟ ପୁଲିସ୍‌ ଏ ସମ୍ପର୍କରେ ନ ଜାଣି ପାରିବା ଓ ମୁମ୍ବାଇ ପୁଲିସ୍‌ ରେଡ୍‌ କରି ଏହାର ପର୍ଦ୍ଦାଫାସ କରିବ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.