ବନ୍ୟା ପାଇଁ ଜଗତସିଂହପୁର-ନୟାଗଡରେ ଦୁଇ ଦିନ ସ୍କୁଲ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର: ଲଗାଣ ବର୍ଷା କାରଣରୁ ମହାନଦୀର ଜଳ ସ୍ତର ବୃଦ୍ଧି ପାଇ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି । ବିଭିନ୍ନ ଅଞ୍ଚଳରେ ଅତ୍ୟାଧିକ ବନ୍ୟା ପାଣି ପ୍ରବାହିତ ହେବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଉପର ଅଞ୍ଚଳଠାରୁ ତଳି ଅଞ୍ଚଳରେ ଲୋକେ ବନ୍ୟା ଦୁର୍ଦ୍ଦଶା ଅଧିକ ଭୋଗୁଛନ୍ତି । ଏନେଇ ପ୍ରଶାସନ ତରଫରୁ ବନ୍ୟା ଅଞ୍ଚଳ (ଜଗତସିଂହପୁର-ନୟାଗଡ) ଗୁଡିକରେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମହାନଦୀରେ ବନ୍ୟା ଆସିଥିବା ବନ୍ୟା ପାଇଁ ବିଭିନ୍ନ ତଳି ଅଞ୍ଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଯାତାୟତ ଠପ୍ ହୋଇଯାଇଛି । କେଉଁଠି ବନ୍ଧ ଭାଙ୍ଗିଛି ତ କେଉଁଠି ପାଣିର ସୁଅ ପ୍ରଖର ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃ୍ଷ୍ଟିରୁ ଜିଲ୍ଲାପାଳ ବନ୍ୟା ପ୍ଲାବିତ ଅଞ୍ଚଳରେ ଥିବା ସ୍କୁଲ ବିଇଓ ମାନଙ୍କୁ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି ।

ନୟାଗଡ ଜିଲ୍ଲାପାଳ ବନ୍ୟା ପାଣିରେ ଘେରି ରହିଥିବା ଏବଂ ବନ୍ୟା ପାଣି ପ୍ରବେଶ କରିବାର ଆଶଙ୍କା ଥିବା ତିନୋଟି ବ୍ଲକର ୩୨ ଟି ସ୍କୁଲକୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜଗତସିଂହପୁରରେ ମଧ୍ୟ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି ।

nis-ad
Leave A Reply

Your email address will not be published.