ଭାରତୀୟ କ୍ରିକେଟ୍‌ ଦଳର ଜିମ୍ବାୱେ ଗସ୍ତ

ମୁମ୍ବାଇ: ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ‌ଖେଳିବାକୁ ଭାରତୀୟ କ୍ରିକେଟ୍‌ ଦଳ ଶନିବାର ଜିମ୍ବାୱେ ଗସ୍ତ କରିଛି। ‌କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ହରାରେ ସ୍ପୋର୍ଟସ କ୍ଲବ୍‌ରେ ଅଗଷ୍ଟ ୧୮, ୨୦ ଓ ୨୨ ତାରିଖରେ ଏହି ୩ ମ୍ୟାଚ୍‌ ଖେଳିବ। ବିସିସିଆଇ ଶନିବାର ଏହାର ଟ୍ବିଟର୍ ଆକାଉଣ୍ଟ୍‌ରେ ଦଳର ଗସ୍ତ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଫଟୋରେ ପ୍ରସିଦ୍ଧ କୃଷ୍ଣ, ଦୀପକ ଚହର, ଶିଖର ଧାୱନ, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଋତୁରାଜ ଗାଏକ୍ବାଡ ଓ ରାହୁଲ ତ୍ରିପାଠୀ ଦୃଶ୍ୟମାନ ହେଉଛନ୍ତି। ଗସ୍ତ ବେଳେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହି ଗସ୍ତ ଲାଗି ସେ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଭାରତ ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩-୦ରେ ଦିନିକିଆ ଶୃଙ୍ଖଳା ଜିତି ଏଠାକୁ ଆସିଛି। ଅନ୍ୟପକ୍ଷରେ ଜିମ୍ବାୱେ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ଆତ୍ମବିଶ୍ବାସରେ ରହିଛି। ଏହି ଶୃଙ୍ଖଳା ଆଇସିସି ବିଶ୍ବକପ୍ ସୁପର୍‌ ଲିଗ୍‌ ଅନ୍ତର୍ଗତ ହୋଇଥିବାରୁ ଜିମ୍ବାୱେ ପାଇଁ ଗୁରୁତ୍ବ ରଖିଛି। ଶୀର୍ଷ ୮ ମାନ୍ୟତା ଭିତରେ ରହିପାରିଲେ ଜିମ୍ବାୱେ ଆସନ୍ତା ବର୍ଷ ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିନେବ।
ଭାରତୀୟ ଦଳ ଏଥର କେଏଲ୍ ରାହୁଲଙ୍କ ନେତୃତ୍ବରେ ଦିନିକିଆ ଶୃଙ୍ଖଳା ଖେଳିବ। ପୂର୍ବରୁ ଶିଖର ଧାୱନଙ୍କ ନେତୃତ୍ବରେ ଦଳ ଘୋଷିତ ହୋଇଥିଲେ ମଧ୍ୟ ତାଙ୍କୁ ଏବେ ଉପ ଅଧିନାୟକ ଦାୟିତ୍ବକୁ ଖସାଇ ଦିଆଯାଇଛି। ଆହତ କାରଣରୁ ରାହୁଲ ମେ ୨୫ ତାରିଖର ଆଇପିଏଲ୍ ଏଲିମିନେଟର୍‌ (କୋଲକାତା) ପରଠାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌‌ ଖେଳିନାହାନ୍ତି। ଏଲିମିନେଟର୍‌ରେ ତାଙ୍କ ନେତୃତ୍ବାଧୀନ ନୂଆ ଦଳ ଲକ୍ଷ୍ନୌ ସୁପର୍ ଜା‌ଏଣ୍ଟ୍‌ସ ୧୪ ରନ୍‌ରେ ଆର୍‌ସିବି ନିକଟରୁ ହାରିଯାଇଥିଲା। ଜୁନ୍‌ ମାସରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ଲାଗି ରାହୁଲଙ୍କୁ ନେତୃତ୍ବ ଦାୟିତ୍ବ ମିଳିଥିଲେ ମଧ୍ୟ ସେ ଅହତ କାରଣରୁ ଓହରିଯାଇଥିଲେ। ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ ଶୃଙ୍ଖଳାରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଏହି ଅବସରରେ ସେ ଜର୍ମାନିରେ ନିଜର ସ୍ପୋର୍ଟସ ହାର୍ଣ୍ଣିଆ ଅପେରେସନ୍‌ କରାଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ‌ବେଳକୁ ଦଳକୁ ଫେରିଥିଲେ ମଧ୍ୟ କୋଭିଡ୍‌ ପଜିଟିଭି ହେବାରୁ ଖେଳିପାରିନଥିଲେ। ଜିମ୍ବାୱେ ଶୃଙ୍ଖଳା ଲାଗି ଦୀର୍ଘ ୬ ମାସ ପରେ ଦୀପକ ଚହର ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ଆୟର୍ଲାଣ୍ଡ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ରାହୁଲ ତ୍ରିପାଠୀ ମଧ୍ୟ ପ୍ରଥମ ଥର ଦିନିକିଆ ଦଳରେ ସାମିଲ ହୋଇଛନ୍ତି।
ଭାରତୀୟ ଦିନିକିଆ ଦଳ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁବମନ ଗିଲ୍, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ, ସଞ୍ଜୁ ସାମସନ୍, ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆୱେଶ ଖାନ୍, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର।

nis-ad
Leave A Reply

Your email address will not be published.