ବୌଦ୍ଧ ଜିଲାର ଜଗନ୍ନାଥ ସଡ଼କ ଓ ମନମୁଣ୍ଡା ଶଗଡ଼ା ରାସ୍ତାରେ ଯୋଗାଯୋଗ ବିଛିନ୍ନ

ବୌଦ୍ଧ : ଲଗାତାର ଭାବରେ ଏକ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷାରେ ବୌଦ୍ଧ ଜିଲାରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ନଦୀ ପାଣି ଫୁଲିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ୩୪ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ତଳମୁଣ୍ଡରେ ଲଗାଣ ବର୍ଷାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ବୌଦ୍ଧଠାରେ ମହାନଦୀ ବିପଦ ସଙ୍କେତ ୮୬.୮୦ ରହିଥିବାବେଳେ ଏହାଠାରୁ ସାମାନ୍ୟ ତଳେ(୮୬.୧୧ମି) ମହାନଦୀ ଜଳସ୍ତର ରହି ଦୁଇକୂଳ ଖାଇ ପ୍ରବାହିତ ହେଉଥିବାରୁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ ଓ ନଦୀଖଣ୍ଡିରେ ରହୁଥିବା ବସ୍ତି ବାସୀନ୍ଦାମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପର ମୁଣ୍ଡରେ ତେଲ, ଖଡଙ୍ଗ ଓ ବାଘ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଏହା ମହାନଦୀର ତଳ ମୁଣ୍ଡରେ ରହୁଥିବା ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରାଯାଉଥିବାବେଳେ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ ଅଗ୍ନିଶମ ଏବଂ ଓଡ୍ରାପ ଟିମକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ, ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ସହରର ତଳି ଅଞ୍ଚଳ ଗୁଡିକରେ ମହାନଦୀ ପାଣି ତୁଡା ଦେଇ ରହିଛି। ବୌଦ୍ଧ ସହରଠାରୁ ତଳ ମୁଣ୍ଡରେ ଥିବା ହରଭଙ୍ଗା ବ୍ଲକର ଜଗନ୍ନାଥ ସଡକରେ ବିଭିନ୍ନ ସ୍ଥାନରେ ମହାନଦୀ ପାଣି ପଶି ଯୋଗାଯୋଗ ବିଛିନ୍ନ ହୋଇଥିବାବେଳେ ମନମୁଣ୍ଡା ଶଗଡ଼ା ମଧ୍ୟରେବି ଯୋଗାଯୋଗ ବିଛିନ୍ନ ହୋଇସାରିଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ସମ୍ଭାବନା ନେଇ ତଳି ଅଞ୍ଚଳବାସୀ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲାର ଅନେକ ଅଞ୍ଚଳରେ ଚାଷଜମିରେ ବର୍ଷା ପାଣି ନିଷ୍କାସନ ହୋଇନପାରି ମାଡି ରହିଛି। ତେଣୁ ଯଦି ଲଗାଣ ବର୍ଷା ଜାରି ରହେ ଫସଲ କ୍ଷତି ହେବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲାପରିଷଦ ଅଶ୍ୱିନି କୁମାର ମେହେର ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହିତ ବିଡିଓ ଓ ତହସିଲଦାରମାନଙ୍କ ସହିତ ଯୋଗାଯୋଗ କରି ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଉଛନ୍ତି। ଆବଶ୍ୟକସ୍ଥଳେ ବନ୍ୟା ଆଶ୍ରୟସ୍ଥଳୀ ଖୋଲାଯାଇ ବନ୍ୟା ପିଡିତଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦଳବେହେରା ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖାଯିବା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

nis-ad
Leave A Reply

Your email address will not be published.