୨୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ଆଶଙ୍କା ନେଇ ଖୋଦ୍ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ଯଦିଓ ସେ ଗତକାଲି କହିଥିଲେ ଯେ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢୁଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ।

ଇଆଇସି ଶ୍ରୀ ମିଶ୍ର କହିଛନ୍ତି, ଯଦି ମହାନଦୀର ଉପର ମୁଣ୍ଡରେ ଆଉ ଅଧିକ ଜଳ ଛଡ଼ାଯାଏ ସ୍ୱଳ୍ପ ବନ୍ୟା ଆସିପାରେ। କାଲି ସକାଳ ୮ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ଛୁଇଁବ। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି। ହୀରାକୁଦରେ ଅଧିକ ଗେଟ୍ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି। ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ହୀରାକୁଦର ଗେଟ୍ ଖୋଲିବା ସଂଖ୍ୟା ବଢ଼ୁଥିବାରୁ ଆଗକୁ ମହାନଦୀ ଓ ଏହାର ଶାଖା ନଦୀମାନଙ୍କରେ ବନ୍ୟା ପାଣି ବଢ଼ିବା ଆଶଙ୍କା ବଢ଼ିଛି। ଆଜି ସକାଳ ସୁଦ୍ଧା ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ଦୁଇଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍‌ ଖୋଲିଛି। ସେପଟେ ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗୀୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ସମସ୍ତଙ୍କୁ ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ କୁହାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

nis-ad
Leave A Reply

Your email address will not be published.