ଫୁଲୁଛି ମହାନଦୀ

କଟକ : ଗତ ୭ତାରିଖ ଅପରାହ୍ଣରୁ କ୍ରମାଗତ ଭାବେ ତିଗିରିଆ ଅଞ୍ଚଳରେ ବର୍ଷା ଲାଗି ରହିଛି । ବର୍ଷାରେ ସମଗ୍ର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଗୋଟିଏ ପଟେ ଧାନଚାଷକୁ ନେଇ କୃଷି କ୍ଷେତ୍ରରେ କୃଷକ ଓ କୃଷି ଶ୍ରମିକ ତତ୍ପର ହୋଇଉଠିଥିବା ବେଳେ ଅଞ୍ଚଳରେ ବିଭିନ୍ନ ପନିପରିବା ଫସଲ ନଷ୍ଟ ହେବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

ଅପରପକ୍ଷେ ହଜାର ହଜାର କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କାମ କରିବାକୁ ଯାଇନପାରି ହାତବାନ୍ଧି ଘରେ ବସି ରହିଛନ୍ତି । ରାସ୍ତାଘାଟରେ ପାଣି ଜମି ରହିବା ସହିତ ପ୍ରତିକୂଳ ପାଣିପାଗରେ ଲୋକେ ଘରୁ ବାହାରିବା ସମ୍ଭବ ହେଉନି।
ବ୍ଲକର ମହାନଦୀ ନଦୀକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ଲୋକଙ୍କୁ ବନ୍ୟାର ଭୟ ଘାରିଛି । ଗୁରୁବାର ସକାଳ ଠାରୁ ମହାନଦୀ ଏଠାରେ ଫୁଲିବା ଆରମ୍ଭ କରିଛି । ବାଙ୍କୀ କଡ଼ରେ ପ୍ରବାହିତ ଜଳଧାର ବୃଦ୍ଧି ପାଇ ମହାନଦୀକୁୁ ପୂର୍ଣ୍ଣଗର୍ଭା କରିବାରେ ଲାଗିଛି । ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଥିବା ବେଳେ ଲଗାଣ ବର୍ଷା ଜଳ ମହାନଦୀରେ ମିଶି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ହୀରକୁଦରୁ ନିଷ୍କାସିତ ଜଳ ଆଜି ଅପରାହ୍ଣରେ କିମ୍ବା ରାତିରେ ଏଠାରେ ପ୍ରବାହିତ ହେବାକୁ ଥିବା ବେଳେ ବର୍ଷାର ପରିମାଣ ବୃଦ୍ଧି ପାଇଲେ ପ୍ରାଥମିକ ଭାବେ ତିଗିରିଆ ଅଞ୍ଚଳର କୃଷି କ୍ଷେତ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ରହିଥିବା ନାଳଗୁଡ଼ିକ ପୂର୍ଣ୍ଣଗର୍ଭା ହୋଇ ଏବେ ପ୍ରବାହିତ ହେଉଛି । ନାଳଗୁଡ଼ିକର ଜଳ ବଡ଼ବନ୍ଧ ପାଟଦେଇ ହୁଳୁହୁଳା ନାଳରେ ମହାନଦୀକୁ ନିଷ୍କାସନ ହୋଇଥାଏ। ଏପରିସ୍ଥଳେ ମହାନଦୀରେ ହୀରାକୁଦ ସମେତ ବିଭିନ୍ନ ଉପନଦୀରୁ ପ୍ରବାହିତ ବନ୍ୟାଜଳ ପ୍ରବାହିତ ହେଲେ ତିଗିରିଆ ଏବଂ ବାଙ୍କୀ ଉତ୍ତରକୁଳାଟ ଅଞ୍ଚଳରୁ ଜଳ ମହାନଦୀକୁ ନିଷ୍କାସିତ ହେବାରେ ବାଧା ଉପଜି ପାରେ । ଏହାଦ୍ୱାରା ବଡ଼ବନ୍ଧପାଟରେ ପ୍ରଥମେ ବନ୍ୟା ପରିସ୍ଥିତ ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବନି। ଏଭଳିସ୍ଥିତିକୁ ନଜରରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତିରେ ରହିବା ଆବଶ୍ୟକ । ତିଗିରିଆ ବ୍ଲକର ବନ୍ୟାପ୍ରବଣ ଅଞ୍ଚଳ ଭାବେ ବଡ଼ନାଉପୁଟ, ହାଟମାଳ, ଗଦାଧରପୁର ପଞ୍ଚାୟତ ସହିତ ପୁରୁଣାତିଗିରିଆ, ସୋମପଡ଼ା, ବିନ୍ଧାଣିମା, ଜେମାଦେଇପୁର ଆଦି ପଞ୍ଚାୟତ ଆଂଶିକ ଭାବେ ପ୍ରଭାବିତ ହୋଇଥାଏ । ସେହିଭଳି ଜଳସେଚନ ବିଭାଗ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଧବାଡ଼ରେ ରହିଥିବା କେତେକ ସମ୍ବେଦନଶୀଳ ସ୍ଥାନରେ ବାଲିବସ୍ତା ମହଜୁଦ ରଖିବା ଜରୁରୀ ହୋଇପଡ଼ିଛି ବୋଲି ନଦୀକୂଳ ଅଞ୍ଚଳରେ ଜନସାଧାରଣରେ ମତ ପ୍ରକାଶ ପାଇଛି। ଯଦିଓ ଗତ ୩ବର୍ଷ ତଳେ ବନ୍ଧବାଡ଼ର ସୁଦୃଢ଼ୀକରଣ କରାଯାଇଛି ତଥାପି ଘଳିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ନିଆଯିବା ଜରୁରୀ ହୋଇପଡ଼ିଛି।

nis-ad
Leave A Reply

Your email address will not be published.