ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

ଭୁବନେଶ୍ବର :ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀ ରହିଛନ୍ତି। ସ୍ୱାଧିନତା ଦିବସ ଉପଲକ୍ଷେ ଦିଲ୍ଲୀରେ ଓଡ଼ିଶାର ୪ ପୋଲିସ ଅଧିକାରୀ ସମ୍ମାନିତ ହେବେ ।

ଏଥିରେ ଓଡ଼ିଶାର ଜଣେ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟର ଥିବା ଜଣାଯାଇଛି। ୨୦୨୨ ବର୍ଷ ପାଇଁ ଏହି ପଦକ ପ୍ରଦ‌ାନ କରାଯିବ।

ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ିଶାରୁ ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଚନ୍ଦ୍ର ଜେନା, ଇନ୍ସପେକ୍ଟର ଅନସୂୟା ନାୟକ ଓ ରମେଶ କୁମାର ପ୍ରଧାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଏହି ସମ୍ମାନଜନକ ପଦକ ମିଳିବ।

ସେହିପରି ଓଡ଼ିଶା ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ୯ ଜଣ ପୋଲିସ କର୍ମଚାରୀଙ୍କୁ ଭୁବନେଶ୍ବରରେ ପୋଲିସ ସାହସିକତା ପଦକରେ ସମ୍ମାନୀତ କରାଯିବ। ଏହି ପଦକ ପାଇଁ ଚୟନ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଚନ୍ଦକା ଏସଓଜି (ସ୍ପେସିଆଲ ଅପରେସନ୍‌ ଗୃପ୍)ର ୪ଯବାନ ରହିଥିବା ବେଳେ ମରଣୋତ୍ତର ଭାବେ ପୋଲିସ କର୍ମୀ ଜୟରାମ ଖବାସୀଙ୍କୁ ମଧ୍ୟ ଦିଆଯିବ। ଆସନ୍ତା ୭୬ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଏହି ପୋଲିସ କର୍ମଚାରୀମାନଙ୍କୁ ସାହସିକତା ପଦକ ଦିଆଯିବ।

ହାବିଲଦାର ପ୍ରବୀଣ ଥାପ୍ପା, ରାଜେଶ ବିଶ୍ୱକର୍ମା ଏହି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାଲାକାନାଗିରିର ଓଡ଼ିଶା ସଶସ୍ତ୍ର ପୋଲିସ ବଳ ଓଡ଼ିଶା ଆର୍ମଡ ପୋଲିସ ଫୋର୍ସ ବା (ଓଏପିଏଫ)ର ରାମୁ ଡୁରୁଆ ଏହି ପଦକ ପାଇବେ। ମାଲକାନାଗିରିର ଦୁଇ କନଷ୍ଟେବଳ ବନ୍ଧୁ ହନ୍ତାଳ ଓ ଘେନୁ ହନ୍ତାଳଙ୍କୁ ମଧ୍ୟ ପୋଲିସ ସାହସିକତା ପଦକ ମିଳିବ। ଅନ୍ୟପଟେ ଭାରତୀୟ ପୋଲିସ ସେବା ଅଧିକାରୀ ତଥା ମୟୂରଭଞ୍ଜର ଆରକ୍ଷି ଅଧିକାରୀ ଆରଡି ଖିଲାର ଏହି ସାହସିକତା ପଦକରେ ସମ୍ମାନୀତ ହେବେ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.