ଚେର୍ଣ୍ଣୋବିଲ୍ ପରି ପରମାଣୁ ବିଭୀଷିକାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛୁ : ୟୁକ୍ରେନ

ନ୍ୟୁୟର୍କ : ୟୁକ୍ରେନରେ ଥିବା .ୟୁରୋପର ବୃହତ୍ତମ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଜଝିଆକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି । ଏହି ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ଚାଲିଥିବା ବୋମାମାଡ଼କୁ ନେଇ ଉଭୟ ରୁଷ ଓ ୟୁକ୍ରେନ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି ।
ତେବେ ୟୁକ୍ରେନ ପକ୍ଷରୁ କୁହାଯାଇଛି ତାଙ୍କ ଦେଶ ଚେର୍ନୋବିଲ ପରମାଣ କେନ୍ଦ୍ର ଦୁର୍ଘଟଣା ପରି ଏକ ଭୟଙ୍କର ବିଭୀଷିକାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି । ଯଦି ଚେର୍ନୋବିଲ ପରି ପରମାଣୁ ଦୁର୍ଘଟଣା ଘଟେ, ସେ ପରିସ୍ଥିତିରେ କଣ କରାଯିବ, କିପରି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେ ନେଇ ଗୃହ ମନ୍ତ୍ରାଳୟ ଓ ଅନ୍ୟ ମନ୍ତ୍ରାଳୟ ମିଳିତଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିସ୍କାଏ କହିଛନ୍ତି ।
ଏହି ପ୍ରସଙ୍ଗକୁ ନେଇ ଜାତିସଂଘ ନିରାପତ୍ତା ପରିଷଦରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ପକ୍ଷରୁ ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ଯୋଗଦେଇ କହିଥିଲେ ଯେ, ଏହି ପରମାଣୁ ଶକ୍ତି କେନ୍ଦ୍ରର ଇନ୍ଧନ ରଖାଯାଉଥିବା ସ୍ଥାନ ନିକଟରେ ବୋମା ମାଡ ହେବା ବେଶ ଚିନ୍ତାର ବିଷୟ । ଏପରି ପ୍ରତିଷ୍ଠାନଗୁଡ଼ିକର ନିରାପତ୍ତା ଉପରେ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେଇଥାଏ, କାରଣ ପରି ସ୍ଥାନରେ ଦୁର୍ଘଟଣା ଘଟିଲେ ଜନସ୍ବାସ୍ଥ୍ୟ ଓ ପରିବେଶ ଉପରେ ତାହାର ସାଂଘାତିକ କୁପ୍ରଭାବ ପଡ଼ିଥାଏ ।
ଏହା ପୂର୍ବରୁ ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି କହିଥିଲେ ଯେ ଜାପୋରିଝଜିଆ ପରମାଣୁ କେନ୍ଦ୍ର ଏବ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି ଓ ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି । ଏଠାରେ ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଆଗକୁ ଏହା ଏକ ବଡ଼ ତଥା ଭୟଙ୍କର ବିପଦରେ ପରିଣତ ହେବାକୁ ଯାଉଛି ।
ସୂଚନାଯୋଗ୍ୟରେ ୧୯୮୬ ଏପ୍ରିଲ ମାସରେ ୟୁକ୍ରେନରେ (ତତକାଳୀନ ସୋଭିଏତ ସଂଘ) ଥିବା ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣାରେ ୧୦୦ ଲୋକ ମୃତ୍ୟୁବରଣ କରିଥିବାବେଳେ ଏହାର ବିକିରଣ ଯୋଗୁଁ ଅନେକ ଲୋକ ପରୋକ୍ଷରେ ପ୍ରାଣ ହରାଇଥିଲେ ।

nis-ad
Leave A Reply

Your email address will not be published.