ପାୱାର କରିଡର୍‌ରେ ଚର୍ଚ୍ଚା:ପ୍ରଦୀପ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ୟ୍ୟକାଳ ୩୧ ତାରିଖରେ ସରୁଛି । ତାଙ୍କ ସ୍ଥାନରେ ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।ସେନେଇ ଏବେ ପାୱାର କରିଡର୍‌ରେ ଚର୍ଚ୍ଚା ଚାଲିଛି । ୨୦୨୨ ଫେବୃଆରୀରେ ଶ୍ରୀ ମହାପାତ୍ରଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା ।

କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ତାଙ୍କ କାର୍ୟ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଅଗଷ୍ଟ ୩୧ରେ ସେ ଅବସର ନେବେ । ପୁଣି ଥରେ ଶ୍ରୀ ମହାପାତ୍ରଙ୍କ କାର୍ୟ୍ୟକାଳ ବୃଦ୍ଧି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । କାର୍ୟ୍ୟକାଳ ବୃଦ୍ଧି ନ ହେଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପାଇଁ ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଶ୍ରୀ ଜେନା ୨୦୨୧ ଜାନୁଆରୀରୁ ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏଥି ସହ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ଓସ୍‌ଡମା ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ରାଜ୍ୟ ପ୍ରଶାସନରେ ଶ୍ରୀ ଜେନାଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଜଳସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ୟ୍ୟ କରିଛନ୍ତି । ଶ୍ରୀ ଜେନା ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚିଠା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ହଟାଇ ପ୍ରତ୍ୟେକ କାର୍ୟ୍ୟକୁ ଟେଣ୍ଡର କରାଇ ବିଭାଗରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସକୁ ସଠିକ୍ ଭାବେ କାର୍ୟ୍ୟକାରୀ କରି ପ୍ରଶଂସା ସାଉଁଟିପାରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରିବାରେ ଶ୍ରୀ ଜେନା ମଧ୍ୟ ସକ୍ଷମ ହୋଇଛନ୍ତି ।

ମୁଖ୍ୟ ଶାସନ ସଚିବ ପଦବି ନିମନ୍ତେ ୧୯୮୭ ଓ ୧୯୮୮ ବ୍ୟାଚ୍‌ର ବହୁ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଛନ୍ତି । ଜି.ଭି. ଭେନୁଗୋପାଳ ଶର୍ମା, ତୁହିନକାନ୍ତ ପାଣ୍ଡେ, ନିକୁଂଜ ସୁନ୍ଦରରାୟ, ରାଜକୁମାର ଶର୍ମା, ରାଜେଶ ବର୍ମା, ସି.ଜେ. ଭେନୁଗୋପାଳ ଓ ପ୍ରଦୀପ୍ତ ମହାପାତ୍ର ପ୍ରମୁଖଙ୍କ ନାଁ ବରିଷ୍ଠତା ତାଲିକାରେ ରହିଛି । ସେମାନଙ୍କ ମଧ୍ୟରୁ ରାଜେଶ ବର୍ମା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ୟ୍ୟ କରିଥିଲେ । ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

nis-ad
Leave A Reply

Your email address will not be published.