ନୂଆଦିଲ୍ଲୀ: ସୋମବାର ରାତିରେ ଶେଷ ହୋଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୨ ସ୍ବର୍ଣ୍ଣ ସହ ମୋଟ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ। କିନ୍ତୁ କିଛି ଏମିତି କାରଣ ରହିଛି ଯାହାକୁ ବିଚାରକୁ ନେଲେ ଏହାର ଭାରତର ଶ୍ରେଷ୍ଠ ପ୍ରଦର୍ଶନ ବୋଲି ବିବେଚନା କରାଯାଇପାରିବ। ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ମିଳିଥିଲା। ଭାରତ ସେଥର ୩୯ ସ୍ବର୍ଣ୍ଣ ପଦକ ସହ ମୋଟ ୧୦୧ ପଦକ ଜିତିଥିଲା। ବର୍ମିଂହାମରେ ଭାରତ ଏହାଠାରୁ ୪୦ ପଦକ କମ୍ ଜିତିଛି। କିନ୍ତୁ ୨୦୧୦ରେ ଭାରତକୁ ୪୯ ପଦକ ଦେଇଥିବା କିଛି ଖେଳ ବର୍ମିଂହାମରେ ନଥିଲା। ନୂଆଦିଲ୍ଲୀରେ ୩୦ ପଦକ ବଂଧୁକଚାଳନାରୁ, ୮ ତୀରନ୍ଦାଜିରୁ, ୭ ଗ୍ରିକୋରୋମାନ କୁସ୍ତିରୁ ଏବଂ ୪ଟି ଟେନିସ୍ରୁ ଆସିଥିଲା। ଯାହାକି ୨୦୨୨ ସଂସ୍କରଣରେ ସାମିଲ ନଥିଲା। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ସାମିଲ ନଥିବା ଜୁଡ଼ୋ (୩), ଲନ୍ ବଲ୍ (୨), କ୍ରିକେଟ୍ (୧)ରୁ ଭାରତ ୬ଟି ପଦକ ପାଇଛି। ଏହି ୬ଟି ପଦକକୁ ବାଦ୍ ଦେଲେ ଭାରତର ପଦକ ସଂଖ୍ୟା ୫୫ ହେବ। ନୂଆଦିଲ୍ଲୀରେ ଥାଇ ବର୍ମିଂହାମରେ ସାମିଲ ନଥିବା ୪ ଖେଳର ୪୯ ପଦକକୁ ବାଦ୍ ଦେଲେ ଏହା ୫୨କୁ ଖସିଆସୁଛି। ସେହି ତୁଳନାରେ ଦେଖିଲେ ଭାରତର ପଦକ ୨୦୧୮ରୁ ୫୦କୁ କମିବ ଏବଂ ୧୯ ସ୍ବର୍ଣ୍ଣ ଥିଲା। ଯାହାକି ଏଥରର ସ୍ବର୍ଣ୍ଣ ଓ ମୋଟଠାରୁ ପଛରେ।
୨୦୧୦ ସହ ଆଉ କିଛି ଖେଳର ପଦକ ତୁଳନାରେ ଦେଖିଲେ ଭାରତ ଦୌଡ଼କୁଦ ଓ ଜିମ୍ନାଷ୍ଟିକ୍ସରେ କ୍ଷତିରେ ପଡ଼ିଛି। ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍, ସ୍କାସ୍ରୁ ପଦକ କମ୍ ମିଳିଥିଲେ ମଧ୍ୟ କିଛିଟା ଫାଇଦା ହୋଇଛି। ଭାରୋତ୍ତୋଳନ ଓ ହକିରେ କିଛି ମାତ୍ରାରେ କମ୍ ସଫଳତା ମିଳିଛି। ୨୦୧୮ ତୁଳନାରେ କିନ୍ତୁ ଦୌଡକୁଦରୁ (୮ ବନାମ ୩) ସର୍ବାଧିକ ଫାଇଦା ହୋଇଛି। ହକି ଓ ଭାରୋତ୍ତୋଳନରୁ ଗୋଟିଏ ଲେଖାଏଁ ଅତିରିକ୍ତ ପଦକ ମିଳିଛି। ମୁଷ୍ଟିଯୁଦ୍ଧ ଓ ଟିଟିରେ ସାମାନ୍ୟ ପତନ ଘଟିଛି। ବଂଧୁକଚାଳନା ନଥିବା ସତ୍ତ୍ବେ ଭାରତ ୨୨ ସ୍ବର୍ଣ୍ଣ ପଦକ ଜିତିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ। କାରଣ ଏହି ଖେଳରୁ ଭାରତ ୨୦୧୪ରେ ୧୧ ଓ ୨୦୧୮ରେ ୭ ସ୍ବର୍ଣ୍ଣ ପଦକ ଜିତିଥିଲା। ଲନ୍ ବଲରୁ ପ୍ରଥମ ଥର ସ୍ବର୍ଣ୍ଣ, ପୁରୁଷ ଟ୍ରିପଲ୍ ଜମ୍ପ୍ରେ ପ୍ରଥମ ଥର ସ୍ବର୍ଣ୍ଣ-ରୌପ୍ୟ, ମହିଳା କ୍ରିକେଟ୍ରୁ ପ୍ରଥମ ଥର ରୌପ୍ୟ, ପୁରୁଷ ହାଇଜମ୍ପ୍, ମହିଳା ଜାଭଲିନ୍ ଥ୍ରୋ, ୩୦୦୦ ମିଟର୍ ଷ୍ଟିପଲ୍ଚେଜ୍ରୁ ପଦକ ଜିତିବା ଭଳି କିଛି ଐତିହାସିକ ମୁହୂର୍ତ ମଧ୍ୟ ସାମିଲ ଥିଲା ବର୍ମିଂହାମରେ। ପ୍ରଥମ ଥର ଭାଗ ନେଇଥିବା ୬୧ ଜଣଙ୍କ ମଧ୍ୟରୁ ୩୧ ଜଣ ବେକରେ ପଦକ ଝୁଲାଇବାର ଗୌରବ ପାଇଛନ୍ତି। ୫ ଜଣ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନ କରିବା ସହ ୭ଟି ଦଳଗତ ପଦକ ମିଳିବା ମଧ୍ୟ ଅନ୍ୟତମ ଉଲ୍ଲେଖନୀୟ ବିଷୟ।
Sign in
Sign in
Recover your password.
A password will be e-mailed to you.
Next Post