ପରମାଣୁ ଶକ୍ତି କେନ୍ଦ୍ରକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ୍ : ୟୁକ୍ରେନ୍

କିବ୍ : ୟୁକ୍ରେନରେ ଥିବା ୟୁରୋପର ବୃହତ୍ତମ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ କୁ ନେଇ ବିପଦ ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ରୁଷ ପକ୍ଷରୁ ବାରମ୍ବାର କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ଏକ ବଡ଼ ଧରଣର ଆଣବିକ ବିଭୀଷିକା ଘଟିବାର ଭୟ ଦେଖାଦେଇଛି ।
ୟୁକ୍ରେନ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ ଏହି ପରମାଣୁ କେନ୍ଦ୍ର ନିକଟବର୍ତ୍ତୀ ଏକ ଅଂଚଳ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ କରିଛି । ଏହା ଫଳରେ ୧୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଜାପୋରିଝଜିଆ ସହରର ଗଭର୍ଣ୍ଣର ଭାଲେଣ୍ଟନ ରେଜେନିଟେକୋ କହିଛନ୍ତି ଯେ ଏହି ଅଂଚଳକୁ ଲକ୍ଷ୍ୟ କରି ରୁଷ ୮୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି ।
ଗତ ସପ୍ତାହରେ ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି କହିଥିଲେ ଯେ ଜାପୋରିଝଜିଆ ପରମାଣୁ କେନ୍ଦ୍ର ଏବ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି ଓ ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି । ଏଠାରେ ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଆଗକୁ ଏହା ଏକ ବଡ଼ ତଥା ଭୟଙ୍କର ବିପଦରେ ପରିଣତ ହେବାକୁ ଯାଉଛି । କୌଣସି ପ୍ର​ଳୟଙ୍କରୀ ଅଘଟଣ ଘଟିବା ପୂର୍ବରୁ ଉଭୟ ୟୁକ୍ରେନ ଓ ରୁଷ ଜାତିସଂଘର ପରମାଣୁ ବିଶେଷଜ୍ଞମାନଙ୍କୁ ତାହାର ପରିଦର୍ଶନ ପାଇଁ ଅନୁମତି ଦେବାକୁ ସେ କହିଥିଲେ ।

nis-ad
Leave A Reply

Your email address will not be published.