ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମାପ୍ତ : ଭାରତର ଚତୁର୍ଥ ସ୍ଥାନ ଅଧିକାର

ବର୍ମିଂହାମ: ଦୀର୍ଘ ୧୨ ଦିନ ଧରି ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ସୋମବାର ସଫଳତାର ସହ ସମାପିତ ହୋଇଛି। ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୦୦ରୁ ଊର୍ଧ୍ବ ଖେଳାଳି ୨୦ ଖେଳର ୨୮୦ ଇଭେଣ୍ଟରେ ନିଜ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୧୯୩୦ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ରିଟିସ୍ ପ୍ରତିଯୋଗିତାର ୨୪ତମ ସଂସ୍କରଣ ୨୦୨୬ ମସିହାରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଅନୁଷ୍ଠିତ ହେବ। ଦ୍ବିତୀୟ ବିଶ୍ବଯୁଦ୍ଧ କାରଣରୁ ୧୯୪୨ ଏବଂ ୧୯୪୬ରେ ଦୁଇଥର ମାତ୍ର ଏହା ଖେଳାଯାଇନଥିଲା।
ବର୍ମିଂହା‌ମରେ ସୋମବାର ମହିଳା ଏକକ ସ୍ବର୍ଣ୍ଣ ପଦକ ଜିତିବା ପରେ ପିଭି ସିନ୍ଧୁ ସିଧା ଦର୍ଶକ ଗ୍ୟାଲେରି ଯାଇ ପ୍ରଶଂସକ ସେଲଫି ଅନୁରୋଧକୁ ସ୍ବୀକାର କରିଥିଲେ। କେବଳ ଏତିକି ନୁହେଁ ତାଙ୍କଠାରୁ ମୋବାଇଲ୍ ଫୋନ ଆଣି ନିଜେ ମଧ୍ୟ ସେଲଫି ଉଠାଇଥିଲେ। ସେଲଫି ନେବା, ସେଲଫି ଦେବା, ହାତ ମିଳାଇବା, ଅଟୋଗ୍ରାଫ୍‌ ଦେବା ସବୁ କାର୍ଯ୍ୟରେ ସମୟ କାଟିଥିଲେ। ଏହା ପରେ କିଛି ପ୍ରଶଂସକ ସିନ୍ଧୁଙ୍କୁ ‘ପିପୁଲ୍ସ ଚାମ୍ପିଅନ୍‌’ ଅଭିହିତ କରି ଟ୍ବିଟ୍‌ କରିଛନ୍ତି।
ସୋମବାରର ଉଦଯାପନୀ ଉତ୍ସବରେ ବିଶ୍ବବିଜୟିନୀ ତଥା ରାଜ୍ୟଗୋଷ୍ଠୀ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନିଖତ ଜରିନଙ୍କ ସହ ଟେବୁଲ ଟେନିସ୍ ତାରକା ଅଚନ୍ତ ଶରତ କମଲ ତ୍ରିରଙ୍ଗା ଧରିଥିଲେ। ୪୦ ବର୍ଷୀୟ ଶରତ କମଲ ଏଥର ପୁରୁଷ ଏକକ, ମିଶ୍ରିତ ଯୁଗଳ ଏବଂ ପୁରୁଷ ଦଳଗତରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତା’ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବ୍ୟକ୍ତିଗତ ଭାବେ ୧୩ ପଦକ ଜିତିବାର କୀର୍ତ୍ତିମାନ କରିଛନ୍ତି। ଅନ୍ୟପକ୍ଷରେ ନିଖତ ଫ୍ଲାଏୱେଟ୍ ବା ୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଏବଂ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଉଦଘାଟନୀ ଦିବସରେ ତ୍ରିରଙ୍ଗା ଧରିଥିଲେ।
ଆଲେଜାଣ୍ଡାର ଷ୍ଟାଡିୟମ୍‌ରେ ଆୟୋଜିତ ଏହି ୧୧ ଦିନିଆ ପ୍ରତିଯୋଗିତାର ସମାପନ ସମାରୋହରେ ୟୁବି-୪୦ ଓ ଡେକ୍ସିସ୍ ମିଡନାଇଟ୍ ରନର୍ସ ଗ୍ରୁପ୍ ନିଜ ଯାଦୁ ଦେଖାଇଥିଲେ। ପିକି ବ୍ଲାଇଣ୍ଡର୍ସ ଡ୍ୟାନ୍ସ ଥିଏଟର୍‌ ସୋ’ର କଳାକାରମାନେ ବି ମନ୍ତ୍ରମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ସମସ୍ତେ ଏକାଠି ବର୍ମିଂହାମ ସହରର ଉନ୍ନତ ସଭ୍ୟତା ଓ ମହନୀୟ ସଂସ୍କୃତିର ମିଳିତ ଉତ୍ସବ ପାଳନ କରିଥିଲେ। ବ୍ରିଟିସ୍ ଗାୟିକା ଜୋର୍ଜା ସ୍ମିଥ୍ ମଧ୍ୟ ସଂଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆପାଚି ଇଣ୍ଡିଆନ୍, ଲୌରା ମୁଲା, ଗୋଲ୍ଡି, ଜ୍ୟାକବ ବ୍ୟାଂକ୍ସ, ନିଲମ ଗିଲ୍, ରାଜା ହୁସନେ ପ୍ରମୁଖ ଦର୍ଶକ ଓ ଖେଳାଳିଙ୍କ ମନ ମୋହି ନେଇଥିଲେ। ୩୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ କୁଇନ୍ ବାଟନକୁ ପରବର୍ତ୍ତୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଥିବା ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତ ଆଉ ୪ ସ୍ବର୍ଣ୍ଣ ପଦକ ସହ ୬ ପଦକ ଜିତିଛି। ଏଥି ସହ ଭାରତ ୨୨ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୨୩ କାଂସ୍ୟ ପଦକ ସହ ମୋଟ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପୂର୍ବ ଭଳି ପ୍ରଥମ ଦୁଇ ସ୍ଥାନ ବଜାୟ ରଖିଛନ୍ତି। କାନାଡ଼ା ଭାରତଠୁ ୪ ସ୍ବର୍ଣ୍ଣ ପଦକ ଅଧିକ ଜିତି ତୃତୀୟ ସ୍ଥାନ ଦଖଲ କରି ନେଇଛି। ୪ ବର୍ଷ ତଳେ ଭାରତ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ୨୬ ସ୍ବର୍ଣ୍ଣ ସହ ୬୬ ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ସେଠାରେ ଭାରତକୁ ସର୍ବାଧିକ ୭ ସ୍ବର୍ଣ୍ଣ ସହ ୧୬ ପଦକ ଦେଇଥିବା ବଂଧୁକଚାଳନା ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍ ପଡ଼ିଥିଲା। ଏହା ସତ୍ତ୍ବେ ଚତୁର୍ଥ ପାଇବା ଭାରତ ପାଇଁ ବଡ଼ ଉପଲବଧି କହିଲେ ଅତ୍ୟୁକ୍ତି ହେବ ନାହିଁ।
ସୋମବାର ଶେଷ ଦିନରେ ଭାରତ ବ୍ୟାଡମିଣ୍ଟନ୍‌ରୁ ୩ ସ୍ବର୍ଣ୍ଣ ଜିତି ଏକକ ପଦକ ମୂଳପୋଛ କରି ଏହି ଖେଳରେ ନୂଆ ଶକ୍ତି ଭାବେ ଉଭା ହୋଇଛି। ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସ୍ବର୍ଣ୍ଣ ପଦକରୁ ଭାରତ ସୋମବାର ଅଭିଯାନ ଆରମ୍ଭ କରିଥିଲା। ମହିଳା ଏକକ ଫାଇନାଲ୍‌ରେ ସେ କାନାଡ଼ାର ମିଚେଲ୍ସ ଲି’ଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରିଥିଲା। ବିଶ୍ବ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ସିନ୍ଧୁ ପ୍ରତିଦ୍ବନ୍ଦ୍ବୀ ବିଶ୍ବର ୧୩ତମ ମାନ୍ୟତାପ୍ରାପ୍ତ ଲି’ଙ୍କୁ ହରାଇବାରେ କୌଣସି ପ୍ରତିବଂଧକର ସମ୍ମୁଖୀନ ହୋଇନଥିଲେ। ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁଙ୍କ ପାଇଁ ଏହା ପଞ୍ଚମ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ। ୨୦୧୪ରେ ସେ କାଂସ୍ୟ ପଦକ ଜିତିଥିବା ବେଳେ ୨୦୧୮ରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ୨୦୧୯ ବିଶ୍ବ ବିଜୟିନୀ ସିନ୍ଧୁ ଚଳିତ ସଂସ୍କରଣରେ ମହିଳା ଏକକ ସ୍ବର୍ଣ୍ଣ ପୂର୍ବରୁ ମିଶ୍ରିତ ଯୁଗଳରୁ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।
ସିନ୍ଧୁଙ୍କ ସ୍ବର୍ଣ୍ଣ ବିଜୟ ପରେ ଯୁବ ତାରକା ଲକ୍ଷ୍ୟ ସେନ୍‌ ବ୍ୟାଡମିଣ୍ଟନ୍‌ରୁ ଭାରତକୁ ଦ୍ବିତୀୟ ଏକକ ସ୍ବର୍ଣ୍ଣ ପଦକ ଦେଇଥିଲେ। ପୁରୁଷ ଏକକ ଫାଇନାଲ୍‌ରେ ଲକ୍ଷ୍ୟ ପ୍ରଥମରୁ ପଛରେ ପଡ଼ିଯାଇଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ୧୯-୨୧, ୨୧-୯, ୨୧-୧୬ରେ ମାଲେସିଆର ଏନ୍‌ଜି ଟିଜ୍‌ ୟଙ୍ଗଙ୍କୁ ପରାସ୍ତ କରିଥିଲେ। ବିଶ୍ବ ମାନ୍ୟତାରେ ୧୦ମ ସ୍ଥାନରେ ଥିବା ସେନ୍‌ଙ୍କ ପ୍ରଥମ ଗେମ୍ ପରାଜୟ ପରେ ସ୍ବର୍ଣ୍ଣ ବିଜୟ ପ୍ରଶଂସା ସାଉଁଟିଛି। ୨୦ ବର୍ଷୀୟ ଏହି ଉଦୀୟମାନ ଅଲ୍ ଇଂଲଣ୍ଡ ରନର୍‌ ଅପ୍‌ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ପ୍ରଥମ ଥର ଦୁଇ ପଦକ ଜିତିଛନ୍ତି। ବର୍ମିଂହାମରେ ସେ ସିନ୍ଧୁଙ୍କ ସହ ମିଶି ମିଶ୍ରିତ ଯୁଗଳ ରୌପ୍ୟ ପଦକ ମଧ୍ୟ ଜିତିଥିଲେ।
ବ୍ୟାଡମିଣ୍ଟନ୍‌ରୁ ସୋମବାର ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକ ମିଳିଥିଲା ଯୁଗଳ ଇଭେଣ୍ଟ୍‌ରୁ। ଅଭିଜ୍ଞ ଭାରତୀୟ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଚମତ୍କାର ପ୍ରଦର୍ଶନ କରି ଘରୋଇ ଇଂଲିସ୍ ଯୋଡ଼ି ବେନ୍ ଲେନ୍ ଓ ‌ସିନ୍ ମେଣ୍ଡିଙ୍କୁ ସିଧାସଳଖ ଗେମ୍‌ରେ ୨୧-୧୫, ୨୧-୧୩ରେ ପରାସ୍ତ କରିଥିଲେ। ଏଥି ସହ ଭାରତ ବ୍ୟାଡମିଣ୍ଟନରୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ପଦକ ସହ ଅଭିଯାନ ଶେଷ କରିଥିଲା।
ରବିବାର ରାତିରେ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ଏବଂ ମହିଳା ଯୁଗଳରେ ତ୍ରିସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ କାଂସ୍ୟ ପଦକ ଜିତିଥିଲେ। ‌କାଂସ୍ୟ ମୁକାବିଲାରେ ଶ୍ରୀକାନ୍ତ ସିଧାସଳଖ ୨୧-୧୫, ୨୧-୧୮ରେ ସିଙ୍ଗାପୁରର ଜିଆ ହେଙ୍ଗ୍‌ ତେହଙ୍କୁ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଏହା ଶ୍ରୀକାନ୍ତଙ୍କ ଦ୍ବିତୀୟ ଏବଂ ‌ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚତୁର୍ଥ ପଦକ। ପୂର୍ବରୁ ସେ ଏଠାରେ ମିଶ୍ରିତ ଦଳଗତରେ ରୌପ୍ୟ ଜିତିଥିଲେ। ୨୦୧୮ ଗୋଲ୍ଡକୋଷ୍ଟ‌ ସଂସ୍କରଣରେ ସେ ମିଶ୍ରିତ ଦଳଗତ ସ୍ବର୍ଣ୍ଣ ଏବଂ ପୁରୁଷ ଏକକ ରୌପ୍ୟ ଜିତିଥିଲେ। ମହିଳା ଯୁଗଳ କାଂସ୍ୟ ମୁକାବିଲା‌ରେ ଭାରତୀୟ ଯୁବା ଯୋଡ଼ି ତ୍ରିସା ଓ ଗାୟତ୍ରୀ ସିଧାସଳଖ ୨୧-୧୫, ୨୧-୧୮ରେ ୱେଣ୍ଡି ଚେନ୍‌ ସୁନ୍‌-ୟୁ ଓ ଗ୍ରୋନି ସମରଭିଲେଙ୍କୁ ହରାଇଥିଲେ।
ଭାରତର ସବୁଠୁ ଅଭିଜ୍ଞ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିଥିବା ଟେବୁଲ ଟେନିସ କିଂବଦନ୍ତି ଅଚନ୍ତ ଶରତ କମଲ ନିଜର ସମସ୍ତ ୪ ଇଭେଣ୍ଟ୍‌ରେ ପଦକ ଜିତି ନୂଆ ଫର୍ଦ ଯୋଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ୪୦ ବର୍ଷୀୟ ଏହି ଚେନ୍ନାଇ ଖେଳାଳି ମୋଟ ଉପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ୧୩ ପଦକ ଅମଳ କରିଛନ୍ତି। ସୋମବାର ଶରତ ପୁରୁଷ ଏକକ ଫାଇନାଲରେ ଇଂଲଣ୍ଡର ଲିଆମ୍ ପିଚ୍‌ଫୋର୍ଡଙ୍କୁ ୪-୧ ସେଟ୍‌ରେ ପରାସ୍ତ କରିଥିଲେ। କେବଳ ପ୍ରଥମ ଗେମ୍‌କୁ ୧୧-୧୩ରେ ହାରିଯିବା ପରେ ୨୯ ବର୍ଷୀୟ ପିଚ୍‌ଫୋର୍ଡଙ୍କୁ ପରବର୍ତୀ ୪ ଗେମ୍‌ରେ ୧୧-୭, ୧୧-୨, ୧୧-୬, ୧୧-୮ରେ ମାତ୍‌ ଦେଇଥିଲେ। ୧୬ ବ‌ର୍ଷ ପରେ ଶରତ ଏକକ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୦୬ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ କରିଥିବା ଶରତ ପୁରୁଷ ଏକକରେ କେବେ ବିଜେତା ହୋଇପାରିନଥିଲେ। ଏବେ ତାଙ୍କର ଅନ୍ୟତମ ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର ହୋଇଛି। ଚଳିତ ସଂସ୍କରଣରେ ପୂର୍ବରୁ ଶରତ ପୁରୁଷ ଦଳଗତ ଓ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଯୁଗଳରେ ରୌପ୍ୟ ପଦକ ହାସଲ କରିଥିଲେ। ରବିବାର ମିଶ୍ରିତ ଯୁଗଳରେ ଯୁବା ଖେଳାଳି ଶ୍ରୀଜା ଅକୁଲାଙ୍କୁ ସାଥି କରି ଶରଥ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଭାରତୀୟ ଯୋଡ଼ି ୩-୧ (୧୧-୪, ୯-୧୧, ୧୧-୫, ୧୧-୬)ରେ ମାଲେସିଆର ଜାଭେନ ଚୁନ ଓ କାରେନ ଲିନ୍‌ଙ୍କୁ ପରାସ୍ତ କରିଥିଲେ।
ଟେବୁଲ୍ ଟେନିସ୍‌ରୁ ଶେଷ ଦିନରେ ଭାରତକୁ ଅନ୍ୟ ପଦକଟି କାଂସ୍ୟ ରୂପରେ ମିଳିଥିଲା। ସେମିଫାଇନାଲ୍‌ରେ ହାରିଯାଇଥିବା ସାର୍ଥିୟାଁ ଜ୍ଞାନଶେଖରନ୍ କାଂସ୍ୟ ମୁକାବିଲାରେ ଇଂଲଣ୍ଡର ପଲ୍ ଡ୍ରିଙ୍କହଲଙ୍କୁ କଡ଼ା ସଂଘର୍ଷକରି ୪-୩ ସେଟରେ ପରାସ୍ତ କରିଥିଲେ। ପ୍ରଥମ ୩ ଗେମ୍‌ ସାଥିୟାଁ (୧୧-୯, ୧୧-୩, ୧୧-୫) ଜିତିବା ପରେ ପରବର୍ତୀ ୩ଟିରେ (୮-୧୧, ୯-୧୧, ୧୦-୧୨)ରେ ହାରିଯାଇଥିଲେ। ନିର୍ଣ୍ଣାୟକ ସପ୍ତମ ତଥା ଶେଷ ଗେମ୍‌ରେ କିନ୍ତୁ ନିଜ ଆତ୍ମବିଶ୍ବାସକୁ ଜାରି ରଖି ୧୧-୯ରେ ବାଜି ମାରି ନେଇଥିଲେ। ବର୍ମିଂହାମରୁ ମଧ୍ୟ ଜ୍ଞାନଶେଖରନ ୩ ପଦକ ଜିତିଛନ୍ତି। ଶରତଙ୍କ ସହ ପୁରୁଷ ଯୁଗଳରେ ରୌପ୍ୟ ଏବଂ ଭାରତୀୟ ପୁରୁଷ ଦଳଗତରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ୨୯ ବର୍ଷୀୟ ଚେନ୍ନାଇ ଖେଳାଳି। ମୋଟ ଉପରେ ମଧ୍ୟ ସାଥିୟାଁ ୬ ପଦକ ଜିତି ସାରିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ।

nis-ad
Leave A Reply

Your email address will not be published.