ବଲାଙ୍ଗୀରରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ

ବଲାଙ୍ଗୀର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପାଳିତ ହେବ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ତେବେ ଚିରାଚରିତ ପ୍ରଥା ଅନୁଯାୟୀ ବଲାଙ୍ଗୀର ଜ୍ୟୋତିଷ ପଣ୍ଡିତ ମହାସଭା ନୂଆଖାଇ ଲଗ୍ନ ନିର୍ଣ୍ଣାୟକ କମିଟି ସ୍ଥିର କରିଛି । ସେପ୍ଟେମ୍ବର ୧ ତାରିଖ ୧୦ଟା ୫୪ ମିନିଟରୁ ୧୧ଟା ୮ ମିନିଟ୍ ମଧ୍ୟରେ ଇଷ୍ଟ ଦେବାଦେବୀଙ୍କ ଠାରେ ନୂଆଖାଇ ଅନ୍ନ ଭୋଗ ଲାଗି ହେବ ବୋଲି ଏହି କମିଟି କହିଛି ।

ଏ ନେଇ ପୁରୋହିତ ସନ୍ତୋଷ କୁମାର ଦାସ ରାଜ କହିଛନ୍ତି ଯେ,”ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ବରୀ ଓ ମା’ ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ରକୁ ଗଣନା କରି ଆସନ୍ତା ସେପ୍ଟେମ୍ବର 1 ତାରିଖରେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଗୁରୁ ଆର ବିଶୁଦ୍ଧ ତୁଳା ଲଗ୍ନେ ସକାଳ ୧୦ଟା ୫୪ମିନିଟ ରୁ ୧୧ଟା ୮ ମିନିଟ୍ ମଧ୍ୟରେ ଇଷ୍ଟ ଦେବାଦେବୀଙ୍କ ଠାରେ ନୂଆଖାଇ ଅନ୍ନ ଭୋଗ ଲାଗି ହେବ ।” ବଲାଙ୍ଗୀରରେ ନୂଆଖାଇ ଲଗ୍ନ ବାହାରିବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜିଠୁ ସମସ୍ତେ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି ।

ଚାଷୀ ବର୍ଷର ପ୍ରଥମ ଅମଳ ହୋଇଥିବା ଧାନଶସ୍ୟକୁ ପ୍ରଥମେ ଦେବାଦେବୀଙ୍କୁ ଲାଗି କରିବା ପରେ ନିଜେ ଆହରଣ କରିଥାଏ । ଏହାକୁ ନୂଆଖାଇ ପର୍ବ ଭାବରେ ଚାଷୀ ପାଳନ କରିଥାଏ । ପଶ୍ଚିମ ଓଡିଶାରେ ନୂଆଖାଇକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଏହି ଅବସରେ ଧନୀରୁ ଗରିବ ସମସ୍ତେ ଧୁମଧାମରେ ପାଳନ କରିଥାନ୍ତି ନୂଆଖାଇ । ପରସ୍ପରକୁ ନୂଆଖାଇ ଅଭିନନ୍ଦନ ବା ଜୁହାର ଭେଟ ହୋଇଥାନ୍ତି ।

nis-ad
Leave A Reply

Your email address will not be published.